ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଏକକ ପାଠ୍ୟକ୍ରମ

ଭୁବନେଶ୍ୱର, ୭।୧୨: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ରାଜ୍ୟର ସମସ୍ତ ୯ଟି ବିଶ୍ୱବିଦ୍ୟାଳୟ ପାଇଁ ଏକକ ପାଠ୍ୟକ୍ରମ ବ୍ୟବସ୍ଥା (ୟୁନିଫର୍ମ ସିଲାବସ୍‌ ସିଷ୍ଟମ୍‌) କରାଯିବ। ଏଥିସହିତ ଏକା ସମୟରେ ପ୍ରବେଶିକା ପରୀକ୍ଷା ହେବ। ପରୀକ୍ଷା ଗୋଟିଏ ସମୟରେ କରିବା ସହ ଫଳାଫଳ ମଧ୍ୟ ଏକ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ। ଗୁରୁବାର ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ ଥିବା ୯ଟି ବିଶ୍ୱବିଦ୍ୟାଳୟ ଯଥା ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର, ବ୍ରହ୍ମପୁର, ସଂସ୍କୃତ, ରମାଦେବୀ ମହିଳା, ଖଲ୍ଲିକୋଟ, ଗଙ୍ଗାଧର ମେହେର, ଏଫ୍‌.ଏମ୍‌ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଏହି ନୂତନ ପାଠ୍ୟକ୍ରମ ଲାଗୁ ହେବ। ପ୍ରଚଳିତ ନିୟମ ଅନୁସାରେ ବିଶ୍ୱବିଦ୍ୟାଳୟଗୁଡିକରେ ପାଠ୍ୟକ୍ରମ ଭିନ୍ନ ହେବା ସହ ତାଳମେଳ ରହୁନାହିଁ। ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଅନେକ ସମୟରେ ବିଭ୍ରାଟ ଦେଖାଦେଉଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାରେ ବାଧା ସୃଷ୍ଟି ହେଉଛି। ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୁରାତନ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ଛାତ୍ରୀଛାତ୍ରମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ୟୁନିଭର୍ସିଟି ଗ୍ରାଣ୍ଟ୍‌ସ କମିଶନ(ୟୁଜିସି)ର ନ୍ୟାଶନାଲ ଇଲିଜିବିଲିଟି ଟେଷ୍ଟ (ଏନ୍‌ଇଟି) ପାଠ୍ୟଖସଡା ଢାଞ୍ଚାରେ ପ୍ରସ୍ତୁତ ହେବ ଡିଗ୍ରୀ କଲେଜ ପାଠ୍ୟକ୍ରମ। ଉଚ୍ଚଶିକ୍ଷାରେ ଗୁଣାତ୍ମକ ଶିକ୍ଷା ଅଭାବରୁ ନେଟ୍‌ ପାଇବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉଚ୍ଚଶିକ୍ଷାରେ ସଂସ୍କାର ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ବିଭିନ୍ନ ଶିକ୍ଷାବିତ୍‌ଙ୍କ ମତାମତ ନେବା ସହ ବିଭିନ୍ନ ପାଠ୍ୟଖସଡାକୁ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରାଜ୍ୟରେ ୧୦୭୨ଟି ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, ବ୍ଲକଗ୍ରାଣ୍ଟ ଡିଗ୍ରୀ କଲେଜ ରହିଛି।