ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେପି, ନିରପେକ୍ଷ ନିର୍ବାଚନ ଦାବି

0

ଭୁବନେଶ୍ୱର,୨୦/୮: ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ସମସ୍ତ ନିର୍ବାଚନକୁ ଅବାଧ,ମୁକ୍ତ ଓ ନିରପେକ୍ଷ କରାଇବା ପାଇଁ ଦାବି କରିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧିମଣ୍ଡଳୀ ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହାସହିତ ବିଜେଡି ଅତୀତରେ ଅର୍ଥବଳ ଓ ବାହୁବଳ ଲଗାଇ ନିର୍ବାଚନ ଲଢ଼ିବାର ନଜିର ରହିଥିବାରୁ ତା’ଉପରେ ଅଙ୍କୁଶ ଲଗାଇବାକୁ ସେମାନେ ଦାବି କରିଛନ୍ତି। ଶାସକ ବିଜେଡି ପୁଲିସ ପ୍ରଶାସନଠୁ ଆରମ୍ଭ କରି ସରକାରୀ କଳଗୁଡ଼ିକୁ ଦଳୀୟ ଭିତ୍ତିରେ ବ୍ୟବହାର କରିଛିା ଏପରିକି ନିର୍ବାଚନ କମିଶନରଙ୍କ ଗାଇଡଲାଇନକୁ ଉଲ୍ଲଙ୍ଘନ କରି ଶାସକ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ବୁଥ ରିଗିଂ ଓ ବୁଥ୍ କ୍ୟାପଚରିଂ କରି ନିର୍ବାଚନର ଫଳାଫଳକୁ ନିଜ ସପକ୍ଷରେ କରିଛି। ପୌର ନିର୍ବାଚନ ନକରି ରାଜ୍ୟର ବିଜେଡି ସରକାର ଜାଣିଶୁଣି ଦିନ ଗଡ଼ାଇ ଚାଲିଛନ୍ତି। କେତେକ ସ୍ଥାନରେ ଏପର୍ଯ୍ୟନ୍ତ ବି ପଞ୍ଚାୟତ ନିର୍ବାଚନ ହୋଇପାରିନାହିଁ। ତେଣୁ ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବା ପାଇଁ ଏହି ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ, ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.