ନୂଆଦିଲ୍ଲୀ, ୨/୧: ସଂସଦର ଶୀତକାଳୀନ ଅଧିବେଶନର ୧୩ତମ ଦିବସରେ ରାଫେଲ ଡିଲ୍କୁ ନେଇ ହଙ୍ଗାମା ଜାରି ରହିଛି। ବୁଧବାର ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭାରେ ରାଫେଲ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିଛନ୍ତି। ଫଳରେ ବାଚସ୍ପତି ଗୃହକୁ ଦୁଇଥର ମୁଲତବୀ ଘୋଷଣା କରିଛନ୍ତି। ରାହୁଲ କହିଛନ୍ତି, ରାଫେଲ ଚୁକ୍ତି ପ୍ରସଙ୍ଗରେ ଗୃହରେ ମନ୍ତବ୍ୟ ରଖିବାର ସାହସ ପ୍ରଧାମନ୍ତ୍ରୀଙ୍କର ନାହିଁ। ସଂସଦରେ ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେହିପରି ରାଫେଲ ଡିଲରେ ବାୟୁସେନାକୁ ମୋଟ ୧୨୬ଟି ବିମାନର ଆବଶ୍ୟକତା ଥିଲା। ୧୨୬ଟି ବିମାନ ପରିବର୍ତ୍ତେ କେବଳ ୩୬ଟି ବିମାନ କିଣିବାର ନିଷ୍ପତ୍ତି କିଏ ନେଲା ବୋଲି ରାହୁଲ ପ୍ରଶ୍ନ କରିଥିଲେ। ରାଫେଲ ପ୍ରସଙ୍ଗକୁ ନେଇ ସେ ଜେପିସି ତଦନ୍ତ ଦାବି କରିଥିଲେ। ଏନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଲୋକସଭାକୁ ୩.୩୦ପର୍ଯ୍ୟନ୍ତ ସ୍ଥଗିତ କରିଥିଲେ।
ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଫେଲ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ଯାଇ ଦେଶର ସୁରକ୍ଷା ପାଇଁ ଏଭଳି ଚୁକ୍ତିର ଆବଶ୍ୟକତା ଥିଲା ବୋଲି କହିଥିଲେ। ସୁପ୍ରିମ କୋର୍ଟର ରାୟ ପାଇବା ପରେ ମଧ୍ୟ ରାହୁଲ କେଉଁ ଉଦ୍ଦେଶ୍ୟରେ ସଂସଦରେ ପ୍ରଶ୍ନ ଉଠାଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଦେଶର ପ୍ରମୁଖ ୩ଟି ବଡ ଭ୍ରଷ୍ଟାଚାରରେ ଗୋଟିଏ ପରିବାରର ନାମ କିପରି ଆସିଲା ବୋଲି କହି କଂଗ୍ରେସ ଉପରେ ଜେଟଲୀ ପାଲଟା ଆକ୍ରମଣ କରିଥିଲେ।