ନୂଆଦିଲ୍ଲୀ, ୧୪/୧୨ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ପ୍ରଚାର କରୁଥିବା କଂଗ୍ରେସ ସମେତ ସମସ୍ତ ବିପକ୍ଷ ଦଳକୁ ଆଜି ସୁପ୍ରିମ କୋର୍ଟ ତରଫରୁ ଝଟକା ଲାଗିଛି । ଏହି ଚୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଦେଶକୁ ରାଫେଲ ଯୁଦ୍ଧ ବିମାନର ଆବଶ୍ୟକତା ଦର୍ଶାଇ ଏହା ବିରୁଦ୍ଧରେ ଆସିଥିବା ସମସ୍ତ ଆବେଦନକୁ ଖାରିଜ କରିଛନ୍ତି ସୁପ୍ରିମ କୋର୍ଟ । ଶୁକ୍ରବାର ଚିଫ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ଜଷ୍ଟିସ ଗୋଗଇ କହିଛନ୍ତି କି, ରାଫେଲ ଯୁଦ୍ଧ ବିମାନର ମୂଲ୍ୟ ନିର୍ଣ୍ଣୟ କରିବା ଅଦାଲତର କାମ ନୁହେଁ । ଫ୍ରାନ୍ସଠାରୁ କିଣା ଯାଉଥିବା ୩୬ଟି ରାଫେଲ ବିମାନର କ୍ରୟ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାର କୌଣସି କାରଣ ନଜର ଆସୁନାହିଁ । ସେଥିରେ କୌଣସି ଦୁର୍ନୀତି ହୋଇନଥିବା ସ୍ପଷ୍ଟ ଜଣା ପଡୁଛି । ଡିଲ ପାଇଁ ପ୍ରଚଳିତ ନିୟମର ପାଳନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶେଷ କରି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣରେ ତଦନ୍ତ କରିବା ଠିକ୍ ନୁହେଁ । ସରକାରଙ୍କୁ ୧୨୬ଟି କି ୩୬ଟି ରାଫେଲ ବିମାନ କିଣିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଛନ୍ତି । ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଶୁକ୍ରବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରି ମୋଦି ସରକାରଙ୍କୁ କ୍ଲିନ ଚିଟ ଦେଇଛନ୍ତି ।