କୋଚି,୨୯/୧: ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟିରେ ରଖି କଂଗ୍ରେସ ଜନତାକୁ ନୂତନ ନୂତନ ପ୍ରତିଶ୍ରୁତି ଦେବା ଆରମ୍ଭ କରିଛି। ପ୍ରଥମେ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦେବା ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର କେରଳର କୋଚିରେ ମହିଳା ସଂରକ୍ଷଣକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ୨୦୧୯ ଲୋକସଭା ନିର୍ବାଚନ ପରେ କଂଗ୍ରେସ କ୍ଷମତାକୁ ଆସେ ତେବେ ପ୍ରଥମ ପ୍ରାଥମିକତା ଭାବେ ମହିଳା ସଂରକ୍ଷଣ ବିଧେୟକକୁ ପାରିତ କରାଯିବ।
ରାହୁଲ ବୁଥ୍ ସ୍ତରୀୟ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକରେ କହିଛନ୍ତି ଯେ, ୨୦୧୯ ନିର୍ବାଚନ ଜିତିଲେ ପ୍ରଥମ କାର୍ଯ୍ୟ ଭାବେ ସଂସଦରେ ମହିଳା ସଂରକ୍ଷଣ ବିଧେୟକକୁ ପାରିତ କରାଯିବ। ସେ କହିଛନ୍ତି ଯେ ଆମେ ମହିଳାଙ୍କୁ ନେତୃତ୍ଵ ସ୍ତରରେ ଦେଖିବାକୁ ଚାହୁଁଛୁ। ଉଲ୍ଲେଖଯୋଗ୍ୟ ଏହି ବିଧେୟକର ଉଦ୍ଦେଶ୍ୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖିବା ।