ରିଏଲିଟି ଶୋ ‘ରାଇଜିଂ ଷ୍ଟାର’ ଟପ୍‌ ୬ରେ ଅନନ୍ୟା ନନ୍ଦ

0

ଭୁବନେଶ୍ୱର, ୧/୬: ପୁଣି ଜାତୀୟ ସ୍ତରରେ କମାଲ ଦେଖାଇଛନ୍ତି କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ। ୨୦୧୫ରେ ଇଣ୍ଡିଆନ ଆଇଡଲ ଜୁନିୟର ଟାଇଟଲ ଜିତିବା ପରେ ସେ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ପ୍ରତିଷ୍ଠିତ ହୋଇପାରିଥିଲେ। ଏହାପରେ ସେ ଅନେକ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ବର୍ତ୍ତମାନ ସେ ଆଉ ଏକ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛନ୍ତି। ଜାତୀୟ ଚ୍ୟାନେଲ କଲର୍ସରେ ପ୍ରସାରିତ ରିଏଲିଟି ଶୋ’ ‘ରାଇଜିଂ ଷ୍ଟାର’ ସିଜନ୍‌-୩ରେ ଅଂଶଗ୍ରହଣ କରିଛନ୍ତି। ନିଜର ସୁମଧୁର କଣ୍ଠ ସଙ୍ଗୀତ ଦ୍ୱାରା ବିଚାରକଙ୍କ ମନ ଜିଣିବା ସହ ଦର୍ଶକଙ୍କ ଭୋଟ୍‌ ମଧ୍ୟ ହାସଲ କରୁଛନ୍ତି। ଏବେ ଅନନ୍ୟା ଟପ୍‌ ୬ରେ ପହଂଚିଛନ୍ତି । ତେଣୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ତାଙ୍କୁ ଟାଇଟଲ ଜିତାଇବାକୁ ଓଡ଼ିଶାବାସୀଙ୍କୁ ଅନନ୍ୟା ନିବେଦନ କରିଛନ୍ତି। ଆସନ୍ତା ଶନିବାର ଟପ୍‌-୫, ରବିବାର ଟପ୍‌-୪ ଏବଂ ୮ତାରିଖରେ ଫାଇନାଲ ଏପିସୋଡ୍‌ ପ୍ରସାରଣ ହେବାକୁ ଯାଉଛି। ଏହି ଶୋ’ରେ ଲାଇଭ୍‌ ଭୋଟ୍‌ ଦେବାକୁ ପଡ଼ିଥାଏ। ତେଣୁ ଅନନ୍ୟାଙ୍କୁ ଲାଇଭ୍‌ ଭୋଟ୍‌ ଦେବା ପାଇଁ ସ୍ଵରାଭିଷେକ ପକ୍ଷରୁ ଅନୁରୋଧ କରାଯାଇଛି। ଶୁକ୍ରବାର ଅନୁଷ୍ଠାନ ପକ୍ଷରୁ ଗୋଦାବରୀଶ ସାହିତ୍ୟ ସଂସଦରେ ଏ ନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ଅନନ୍ୟା ଭୋଟ୍‌ ଦ୍ୱାରା ହିଁ ଆଗକୁ ଯାଇପାରିବେ ତେଣୁ ପ୍ରତିଟି ମୋବାଇଲ ଫୋନ୍‌ରୁ ଗୋଟିଏ ଭୋଟ୍‌ ଦେଇ ବିପୁଳ ସଂଖ୍ୟାରେ ଭୋଟିଂ କରି ତାଙ୍କୁ ବିଜୟୀ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରାଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ସମ୍ପାଦିକା ହରପ୍ରିୟା ପତି, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.