ସିଡ୍ନୀ,୫/୧- ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି। ଏଠାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ପନ୍ତ ଅପରାଜିତ ୧୫୯ କରିଥିଲେ। ଏହି ଇନିଂସ ପରେ ପନ୍ତଙ୍କୁ ଆଉ ଜଣେ ଆଡାମ ଗିଲଖ୍ରିଷ୍ଟ ବୋଲି କହିଛନ୍ତି ପଣ୍ଟିଂ। ପନ୍ତ ଜଣେ ପ୍ରତିଭାଶାଳୀ କ୍ରିକେଟର ଓ ଭଲ ଷ୍ଟ୍ରାଇକର ମଧ୍ୟ। ମ୍ୟାଚ୍ର ସ୍ଥିତିକୁ ବୁଝିବାର କ୍ଷମତା ରହିଛି। ତାଙ୍କୁ କୋଚିଂ ଦେବାର ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ। ତାଙ୍କ ଉଇକେଟ କିପିଂ ଓ ବ୍ୟାଟିଂରେ ଉନ୍ନତି ଆବଶ୍ୟକ। ଅଧିକ ମ୍ୟାଚ୍ ଖେଳିବା ଦ୍ୱାରା ଉଭୟରେ ତାଙ୍କ ପ୍ରଦର୍ଶନରେ ସୁଧାର ଆସିବ ବୋଲି ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କାପିଟାଲ୍ସ କୋଚ ପଣ୍ଟିଂ କହିଛନ୍ତି। କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଉଇକେଟକିପର ଗିଲଖ୍ରିଷ୍ଟ ୯୬ଟି ଟେଷ୍ଟ ଓ ୨୮୭ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ ଫର୍ମାଟରେ ୪୭.୬ ଆଭରେଜରେ ୫୫୭୦ ରନ୍ କରିଥିବାବେଳେ ଦିନିକିଆରେ ୩୫.୮୯ ହାରରେ ୯୬୧୯ ରନ୍ କରିଛନ୍ତି। ପଣ୍ଟିଂ ଆହୁରି କହିଛନ୍ତି, ଆମେ ସର୍ବଦା ମହେନ୍ଦ୍ର ସିଂ ଧୋନୀ ଓ ଭାରତୀୟ ଦଳରେ ତାଙ୍କ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରୁ। ଧୋନୀ ବହୁ ଟେଷ୍ଟ ଖେଳି ମାତ୍ର ୬ଟି ଟେଷ୍ଟ ହାସଲ କରିଛନ୍ତି। ୨୧ ବର୍ଷୀୟ ପନ୍ତ ତାଙ୍କଠାରୁ ଅଧିକ ଶତକ ମାରିବେ। ଏବେ ସୁଦ୍ଧା ଦୁଇଟି ଶତକ ମାରିବା ସହ ଦୁଇ ଥର ୯୦ରୁ ଊର୍ଦ୍ଧ୍ୱ ରନ୍ କରି ଆଉଟ୍ ହୋଇଛନ୍ତି। ତାଙ୍କ ନିକଟରେ ଯଥେଷ୍ଟ ସମୟ ଥିବାରୁ ସେ ଅଧିକ ଟେଷ୍ଟ ଖେଳିପାରିବେ। ପଣ୍ଟିଂ ଏହି ମତରେ ପୂର୍ବତନ ଉଇକେଟକିପର ଗିଲଖ୍ରିଷ୍ଟ ଏକମତ ହୋଇଛନ୍ତି।