ହାମିଲଟନ,୧୦/୨: ଶେଷରେ ଲଢି ହାରିଲା ଭାରତ। ଦିନେଶ କାର୍ତ୍ତିକ ଓ କୃଣାଲ ପାଣ୍ଡ୍ୟାଙ୍କ ଲଢୁଆ ବ୍ୟାଟିଂ ମଧ୍ୟ ଭାରତକୁ ପରାଜୟରୁ ରକ୍ଷା କରି ପାରିଲା ନାହିଁ। ଫଳରେ ରୋମାଞ୍ଚକର ମୁକାବିଲାରେ ବିଜୟଠୁ ୫ ରନ ଦୂରରେ ରହିଗଲା ଭାରତ। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମ ଥର ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ୍ ଜିତିବାର ଭାରତର ଆଶା ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ କୋଲିନ ମୁନରୋଙ୍କ ବିସ୍ଫୋରକ ୭୨ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୧୨ ରନ କରିଥିଲା। ଜବାବରେ ଭାରତବ୍ୟାଟସମ୍ୟାନଙ୍କ ସାମୂହିକ ପ୍ରଦର୍ଶନ ବଳରେ ୬ ଓ୍ଵିକେଟ୍ ହରାଇ ୨୦୮ ରନ କରିବାକୁ ସକ୍ଷମ ହୋଇଥିଲା। କେବଳ ଏତିକି ନୁହେଁ ବିଦେଶ ଗସ୍ତରେ କ୍ରମାଗତ ଚତୁର୍ଥ ସିରିଜ୍ ଜିତି ଇତିହାସ ରଚିବାରୁ ବଞ୍ଚିତ ହୋଇଛି ଭାରତ। ଭାରତ ପକ୍ଷରୁ ବିଜୟ ଶଙ୍କର ସର୍ବାଧିକ ୪୩ ରନ କରିଥିଲେ। ଦିନେଶ କାର୍ତ୍ତିକ ୩୩ ଓ କୃଣାଲ ପାଣ୍ଡ୍ୟା ୨୬ ର ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ସାଣ୍ଟନର ଓ ଡାର୍ଲି ମିଚେଲ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ୭୨ ରନ କରିଥିବା କଲିନୋ ମୁନରୋ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।