ନୂଆଦିଲ୍ଲୀ, ୩/୧ : ଲିଭ-ଇନ ପାର୍ଟନରଙ୍କ ମଧ୍ୟରେ ସହମତିରେ ସ୍ଥାପନ ହୋଇଥିବା ଶାରୀରିକ ସମ୍ପର୍କ ବଳତ୍କାର ନୁହେଁ । ଏଭଳି ସମ୍ପର୍କ ରଖିଥିବା ପୁରୁଷ ପରିସ୍ଥିତିରେ ପଡି ମହିଳା ପାର୍ଟନରଙ୍କୁ ବିବାହ କରି ନପାରିଲେ ସେ ଅପରାଧୀ ବିବେଚିତ ହେବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତ । ମହାରାଷ୍ଟ୍ରର ଜଣେ ନର୍ସ ଡାକ୍ତରଙ୍କ ସହ ଦୀର୍ଘ ଦିନ ଧରି ଲିଭ-ଇନ ସମ୍ପର୍କରେ ଥିଲେ । କୌଣସି କାରଣ ଯୋଗୁଁ ଡାକ୍ତର ସମ୍ପୃକ୍ତ ନର୍ସଙ୍କୁ ବିବାହ କରି ପାରି ନଥିଲେ । ଫଳରେ ନର୍ସ ଜଣକ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ତେବେ ଏହି ପ୍ରସଙ୍ଗରେ ଡାକ୍ତର ଜଣକ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କି;ୁ ତାଙ୍କ ବିରୋଧରେ ଥିବା ଏଫଆଇଆର ଖାରଜ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ । ଏହା ପରେ ସେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ୍ ଏକେ ସିକରୀ ଏବଂ ଜଷ୍ଟିଷ ଏସ ଅବ୍ଦୁଲ ନଜୀରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଉକ୍ତ ଏଫଆଇଆରକୁ ଖାରଜ କରି ଦେଇଛନ୍ତି । ଶୁଣାଣିରେ ଖଣ୍ଡପୀଠ କହିଛନ୍ତି କି, ବଳତ୍କାର ଏବଂ ସହମତିରେ ସମ୍ପର୍କ ସ୍ଥାପନ କରିବା ମଧ୍ୟରେ ସ୍ପଷ୍ଟ ଅନ୍ତର ରହିଛି । ଏଭଳି ମାମଲାରେ କୋର୍ଟ ସତର୍କତାର ସହ ଯାଞ୍ଚ କରିବ ଯେ, ଅଭିଯୁକ୍ତ ବାସ୍ତବରେ ପୀଡିତାଙ୍କ ସହ ବିବାହ କରିବାକୁ ଚାହୁଁଥିଲା ନା ନିଜର ଯୌନ କ୍ଷୁଧା ମେଣ୍ଟାଇବା ପାଇଁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା । ଯଦି ଅଭିଯୁକ୍ତଙ୍କ ଏଭଳି କିଛି ଆରୋପ ସାବ୍ୟସ୍ତ ନ ହୁଏ ତାହେଲେ ସେ ଦୋଷୀ ଭାବରେ ବିବେଚିତ ହେବେ ନାହିଁ ।