ନୂଆଦିଲ୍ଲୀ,୧/୬: କଂଗ୍ରେସ ସ୍ପଷ୍ଟ କରିଛି ଯେ, ଲୋକସଭାରେ ବିରୋଧୀ ଦଳର ନେତା ପାଇଁ ତାଙ୍କର ସାଂସଦଙ୍କ ସଂଖ୍ୟା କମ୍ ରହିଛି ଏବଂ ଦଳ ଏହି ପଦ ପାଇଁ ଦାବି କରିବ ନାହିଁ। ଗତ ଲୋକସଭାରେ ମଧ୍ୟ କଂଗ୍ରେସ ବିରୋଧୀ ଦଳର ନେତାର ମାନ୍ୟତା ପାଇନଥିଲା। କାରଣ ଦଳ ମାତ୍ର ୪୪ ସିଟ୍ ଜିତିଥିଲା। ଏଥର ମଧ୍ୟ ବିରୋଧୀ ଦଳ ନେତାର ମାନ୍ୟତା ପାଇଁ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟକ ସାଂସଦ ନାହାନ୍ତି। ତେଣୁ କଂଗ୍ରେସ ଏହି ପଦ ପାଇଁ କୌଣସି ଦାବି କରିବ ନାହିଁ। କଂଗ୍ରେସ ପାର୍ଟି ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏମିତି କୌଣସି ଦାବି ପାର୍ଟି ପକ୍ଷରୁ ରଖାଯିବ ନାହିଁ।
ରଣଦୀପ ସିଂହ ସୁରଜେଓ୍ଵାଲା କହିଛନ୍ତି ଯେ, ପର୍ଯ୍ୟାପ୍ତ ସଂଖ୍ୟା ନଥିବା କାରଣରୁ ସରକାରଙ୍କ ପକ୍ଷରୁ ଆମେ ଏମିତି କୌଣସି ଦାବି କରିବୁ ନାହିଁ। ସୁରଜେଓ୍ଵାଲା କହିଛନ୍ତି ଯେ, ଏହା ସ୍ଵାଭାବିକ ବ୍ୟବସ୍ଥା ଯେ ମୋଟ୍ ସାଂସଦ ସଂଖ୍ୟାରୁ ୧୦ ପ୍ରତିଶତ ସିଟ୍ କୌଣସି ଗୋଟିଏ ପାର୍ଟି ପାଖରେ ଥିବା ଦରକାର। ଏହା ପରେ ହିଁ ବିରୋଧୀ ଦଳର ନେତାର ମାନ୍ୟତା ମିଳିଥାଏ। ସଂଖ୍ୟା ବଳ ଦୃଷ୍ଟିରୁ ଆମ ପାଖରେ ୨ ସିଟ୍ କମ ଅଛି। ମାତ୍ର ଏସବୁ କିଛି ସରକାରଙ୍କ ଉପରେ ନିର୍ଭର କରେ ଯେ, ସଂଖ୍ୟା ବଳ କମ ଥିଲେ ମଧ୍ୟ କୌଣସି ଗୋଟିଏ ପାର୍ଟିକୁ ମୁଖ୍ୟ ବିରୋଧୀ ପାର୍ଟିର ମାନ୍ୟତା ଦେବ ନା ନାହିଁ।