ଲୋକସଭାରେ ତିନି ତଲାକ୍‌ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୮/୧୨: ଲୋକ ସଭାରେ ଗୁରୁବାର ସଂଶୋଧିତ ତିନି ତଲାକ୍‌ ବିଲ୍‌ ଗୃହୀତ ହୋଇଛି। ତତ୍କାଳ ତିନି ତଲାକ ପ୍ରଥାକୁ ଉକ୍ତ ବିଲ୍‌ରେ ଧର୍ତ୍ତବ୍ୟ ଅପରାଧ ବିବେଚିତ କରାଯାଇଛି। ଏଥିପାଇଁ ୩ ବର୍ଷ ଜେଲ୍‌ଦଣ୍ଡ ବ୍ୟବସ୍ଥା ରହିଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ୍‌,୨୦୧୮ ଅଣାଯାଇଥିବା ଅଭିଯୋଗକୁ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ବିଲ୍‌ ସପକ୍ଷରେ ୨୪୫ ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୧ ଭୋଟ ଯାଇଥିଲା। ଉକ୍ତ ବିଲ୍‌ ଆଇନରେ ପରିଣତ ହେଲେ ଅଧ୍ୟାଦେଶ ସ୍ଥାନରେ ଏହାକୁ ଲାଗୁ କରାଯିବ। ଏହି ପ୍ରସ୍ତାବିତ ଆଇନ ଜମ୍ମୁ-କଶ୍ମୀର ବ୍ୟତୀତ ସାରା ଦେଶରେ ଲାଗୁ ହେବ।

ଟ୍ରିପଲ ତଲାକ୍‌ ବିଲ୍‌ ଲୋକ ସଭାରେ ଆଗତ କରାଯିବା ପରେ ଏହାକୁ ଯୁଗ୍ମ ଚୟନ କମିଟିକୁ ପଠାଇବା ଲାଗି ବିରୋଧୀ ଦଳ ପକ୍ଷରୁ ଦାବି ହୋଇଥିଲା। ସରକାର ଏହି ଦାବିକୁ ଅଗ୍ରାହ୍ୟ କରିଦେବା ପରେ ଭୋଟ ପୂର୍ବରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏଡିଏମକେ ଏବଂ ଆରଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ବିଲ୍‌ ଗୃହୀତ ହେବା ପୂର୍ବରୁ ୪ ଘଣ୍ଟା ଧରି ନିମ୍ନ ସଦନରେ ଜୋରଦାର ଆଲୋଚନା ହୋଇଥିଲା। ବିଲ୍‌ ଉପରେ ଆଲୋଚନା ଆରମ୍ଭ କରି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ତତ୍କାଳ ତିନି ତଲାକ ଦେଉଥିବା ଅଭିଯୁକ୍ତ ସ୍ବାମୀଙ୍କୁ ଜେଲ୍‌ଦଣ୍ଡ ଦେବା ଆଦୌ ରାଜନୀତି ନୁହେଁ। ଏହା ମହିଳା ସଶକ୍ତୀକରଣ ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ। ଉକ୍ତ ବିଲ୍‌କୁ ଅନୁଧ୍ୟାନ ପାଇଁ ଚୟନ କମିଟିକୁ ପଠାଇବା ନିମନ୍ତେ କଂଗ୍ରେସ, ଟିଏମ୍‌ସି ସମେତ ବିଭିନ୍ନ ବିରୋଧୀ ଦଳ ଦାବି କରିଥିଲେ। ତେବେ ପୂର୍ବରୁ କମିଟିର ସଦସ୍ୟମାନେ ଯେଉଁ ଚିନ୍ତା ବ୍ୟକ୍ତ କରିଥିଲେ ତାହାକୁ ଗ୍ରହଣ କରି ସରକାର ବିଲ୍‌ରେ ଆବଶ୍ୟକ ସଂଶୋଧନ କରିଛନ୍ତି ବୋଲି ପ୍ରସାଦ କହିଥିଲେ। ବିଲ୍‌ରେ କେବଳ ପତ୍ନୀ ଓ ତାଙ୍କ ନିକଟ ସମ୍ପର୍କୀୟ ଏତଲା ଦାଏର କରିବା ବ୍ୟବସ୍ଥା ରହିଛି।