ରାଜସ୍ଥାନ, ୭/୧୨ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଉପରେ ଦେଇଥିବା ଟିªଣୀ ପରେ ବିବାଦ ଘେରରେ ଫସିଛନ୍ତି ଜେଡିୟୁ ନେତା ଶରଦ ଯାଦବ । ଶରଦଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ତାଙ୍କ ଉପରକୁ ପାଲଟା ଆକ୍ରମଣ କରିଛନ୍ତି ବସୁନ୍ଧରା । ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ମୋଟାପଣକୁ ନେଇ ଶରଦ ତାତ୍ସଲ୍ୟ କରିଥିଲେ । ତେବେ ଝଲ୍ୱାର୍ ଝଲରାପଟନ୍ ବିଧାନସଭା ନିର୍ବାଚନମଣ୍ଡଳୀଠାରେ ଭୋଟ୍ ଦେବାପରେ ବସୁନ୍ଧରା ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯାଦବ କେବଳ ତାଙ୍କୁ ଅପମାନିତ କରିନାହାନ୍ତି, ବରଂ ସମଗ୍ର ମହିଳା ଜାତିକୁ ଅପମାନିତ କରିଛନ୍ତି । ତେଣୁ ଶରଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ବାଚନ ଆୟୋଗଙ୍କୁ ଆବେଦନ କରିଛନ୍ତି । କେବଳ ମୋ ପାଇଁ ନୁହେଁ ବରଂ ଭବିଷ୍ୟତରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ନିର୍ବାଚନ ଆୟୋଗ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବସୁନ୍ଧରା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଶରଦ ଆମ ପରିବାର ସହ ସର୍ବଦା ନିକଟତର ରହି ଆସିଥିଲେ, ତେଣୁ ଏହି ଘଟଣା ମତେ ଖୁବ୍ ଦୁଃଖିତ କରିଛି । ଏହା ଆଜିର ଯୁବ ବର୍ଗ ପାଇଁ ଖରାପ ଉଦାହରଣ ସୃଷ୍ଟି କରିବ । ଏହା ସହିତ କଂଗ୍ରେସକୁ ସମାଲୋଚନା କରି ବସୁନ୍ଧରା କହିଛନ୍ତି ବିଜେପି କେବେ ଏଭଳି ଭାଷାର ପ୍ରୟୋଗ କରେ ନାହିଁ । କଂଗ୍ରେସ ଏବଂ ତାଙ୍କର ସହେଯାଗୀମାନଙ୍କୁ ଭାଷା ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଜେଡିୟୁ ନେତା ଶରଦ ଯାଦବ ରାଜସ୍ଥାନର ଏକ ନିର୍ବାଚନୀ ସଭାକୁ ସମ୍ବୋଧୀତ କରୁଥିବା ସମୟରେ ବସୁନ୍ଧରା ରାଜେଙ୍କ ଉପରେ ଟିªଣୀ ଦେଇଥିଲେ । ସେ କହିଥିଲେ, ବସୁନ୍ଧରା ରାଜେଙ୍କୁ ଆରାମ କରିବାକୁ ଦିଅ, ସେ ବହୁତ ଥକି ଗଲେଣି । ମଧ୍ୟ ପ୍ରଦେଶର ଏହି ଝିଅଟି ବହୁତ ମୋଟି ହୋଇଗଲେଣି ।