ବରଗଡ଼,୧୬/୪: କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହେଲେଣି। ମାତ୍ର କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ। ମଙ୍ଗଳବାର ବରଗଡ଼ ଲୋକମଣ୍ଡପ ପଡ଼ିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି, ବିଜେଡି ସରକାର ଆସିବାର ପ୍ରଥମ ଦିନରେ ବାକି ସବୁ ଚାଷୀଙ୍କୁ ୨ଟି କିସ୍ତିର ୧୦ହଜାର ଟଙ୍କା ମିଳିବ। ସେହିପରି ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍ଡିଏ ସରକାରକୁ ଟାର୍ଗେଟ୍ କରି ସେ ଏପରି କହିଛନ୍ତି। ଗତ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଭାଜପା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ କହିଥିଲା। କିନ୍ତୁ କିଛି ସୁଫଳ ମିଳି ନ ଥିଲା । ଅନ୍ୟପଟେ ୨୦୧୬ ମସିହାରେ ସେ କେନ୍ଦ୍ରକୁ ଲେଖିଥିବାବେଳେ ବିଧାନସଭା ଗୃହ କମିଟି ମଧ୍ୟ କେନ୍ଦ୍ରକୁ ଫେରାଦ ହୋଇଥିଲା । ମାତ୍ର ୨ବର୍ଷ ବିତିଗଲା ହେଲେ ସେଥିପାଇଁ କେନ୍ଦ୍ର ସରକାର ୨ମିନିଟ୍ ସମୟ ଦେଲେ ନାହିଁ କି ଓଡ଼ିଶାର ୨ କେନ୍ଦ୍ରମନ୍ତ୍ରୀ ମଧ୍ୟ ସେଥିପ୍ରତି ମୁହଁ ଖୋଲିଲେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ତାଙ୍କ ଦାବି ପରେ ବୁଣାକାରଙ୍କ ଉପରୁ ଜିଏସ୍ଟି ହ୍ରାସ ପାଇଛି। ମାତ୍ର କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବା ପାଇଁ କେନ୍ଦ୍ରଠାରେ ଦାବି ଉପସ୍ଥାପନ କରିଥିବା ସତ୍ତ୍ବେ କିଛି ସୁଫଳ ମିଳି ନାହିଁ ଏବଂ ନିର୍ବାଚନ ଆସିଲେ କେବଳ ଭାଜପା ନେତା, ମନ୍ତ୍ରୀମାନେ ଏଠାକୁ ଆସି ବଡ଼ ବଡ଼ କଥା କହୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅପରପକ୍ଷେ ସେ ସମସ୍ତଙ୍କ ସାଥିରେ ଅଛନ୍ତି ଏବଂ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା କରି ଚାଲିଥିବେ ବୋଲି ପ୍ରକାଶ କରିବା ସହିତ ଦଳର ବରଗଡ଼ ଲୋକ ସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାନସଭା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ମତଦାନ କରିବାକୁ ସେ ନିବେଦନ କରିଛନ୍ତି।
ଲୋକ ସଭା ପ୍ରାର୍ଥୀ ଆଚାର୍ଯ୍ୟ କହିଛନ୍ତି, ବରଗଡ଼ ଜିଲାର ବିକାଶ ହିଁ ଆମର ନୀତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳେ ଯାହା କହିଲେ, ଅନୁରୋଧ ରକ୍ଷା କରି ଏଠାକାର ବିକାଶକୁ ତ୍ୱରାନ୍ବିତ କରିବାରେ ସହଯୋଗ କରିଆସିଛନ୍ତି ବୋଲି କହିଥିଲେ । ଅଞ୍ଚଳର ସାହିତି୍ୟକ, ଲୋକକବିରତ୍ନ ପଦ୍ମଶ୍ରୀ ଡ. ହଳଧର ନାଗଙ୍କ ଭଳି କବି, ଚାଷୀ, ମହିଳା, ଯୁବକଙ୍କ ଅନୁରୋଧ ରଖି ମୁଖ୍ୟମନ୍ତ୍ରୀ ଜିଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ଏଥର ପ୍ରାର୍ଥୀ ହୋଇଛନ୍ତି । ଫଳରେ ବରଗଡ଼ ଜିଲା ଉପରେ ସାରାଦେଶର ନଜର ରହିଛି । ଏହି ଦୃଷ୍ଟିରୁ ବରଗଡ଼ ଲୋକସଭା ତଥା ଜିଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ବହୁସଂଖ୍ୟାରେ ଭୋଟ ଦେଇ ଅତୀତର ସବୁ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟିରେ ସହାୟକ ହେବାକୁ ଆହ୍ବାନ କରିଥିଲେ । ସେହିପରି ବିଧାୟକ ପ୍ରାର୍ଥୀ ଆଚାର୍ଯ୍ୟ ନବୀନ ସରକାରଙ୍କ ବହୁବିଧ ବିକାଶମୂଳକ ଯୋଜନା ଏବଂ ଅଞ୍ଚଳରେ ହୋଇଥିବା ଉନ୍ନୟନ କାର୍ଯ୍ୟ ଉପରେ ଆଲୋକପାତ କରି ବିଜେଡି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସାଧୁ ନେପାକ, ସୁବାସ ଚୌହାନ, ଦେବବ୍ରତ ମିଶ୍ର, କିଶୋର ମିଶ୍ର, ପ୍ରଫୁଲ୍ଲ ନାଏକ, ପ୍ରଶାନ୍ତ ବେହେରା, ବିମଳ କିଶୋର ଦେବତା ପ୍ରମୁଖ ଉପସ୍ଥିତ ଥିଲେ । ବରଗଡ଼ରେ ଉଦ୍ବୋଧନ ଦେବା ପରେ ମୁଖ୍ୟମନ୍ତ୍ରୀ ନିଜେ ଲଢ଼ୁଥିବା ବିଜେପୁର ନିର୍ବାଚନ ମଣ୍ଡଳୀ ଅଭିମୁଖେ ପ୍ରଚାର ପାଇଁ ଯାଇଥିଲେ ।