ଭୁବନେଶ୍ଵର,୧୬/୮: ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ଚତୁଃପାର୍ଶ୍ଵ ଖାଲି ହେବ। ଏନେଇ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୁରୀ ଶ୍ରୀମନ୍ଦିର ସୁରକ୍ଷା ସଂପର୍କରେ ଜଷ୍ଟିସ ବିପି ଦାସ କମିଶନ ଦେଇଥିବା ପ୍ରସ୍ତାବ ଅନୁସାରେ ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଶୁକ୍ରବାର ରାଜ୍ୟ ସଚିବାଳୟରେ ବସିଥିବା ଗୁରୁତ୍ଵପୂର୍ଣ୍ଣ ବୈଠକରେ ସୁରକ୍ଷା ଦୃଷ୍ଟିକୋଣରୁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯିବ। ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଚତୁଃପାର୍ଶ୍ଵ ଜାଗା ଖାଲି କରାଯିବ ବୋଲି ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ଓ ସର୍ଭେ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ମିଶି ଜିଲ୍ଲାପାଳ ଯୋଜନା ପ୍ରସ୍ତୁତ କରିବେ। ଏଥିପାଇଁ କ୍ଷତିଗ୍ରସ୍ତ ଲୋକ/ସଂସ୍ଥାକୁ ଆବଶ୍ୟକ ଥଇଥାନ କରାଯିବ। ଏହା ସହିତ କ୍ଷତିଗ୍ରସ୍ତଙ୍କୁ ଧାର୍ଯ୍ୟ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।