ଶ୍ରୀଲଙ୍କାର ଅପଦସ୍ଥ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ବୁଧବାର ସଂସଦରେ ସ୍ପଷ୍ଟ ବହୁମତ ହାସଲ କରିଛନ୍ତି । ତାଙ୍କୁ ଗତ ୨୬ ଅକେଫାବରରେ ରାଷ୍ଟ୍ରପତି ମୈତ୍ତ୍ରିପାଲ ସିରିସେନା ପ୍ରଧାନମନ୍ତ୍ରୀ ପଦବୀରୁ ବହିଷ୍କୃତ କରିଦେଇଥିଲେ । ତେବେ ସିରିସେନାଙ୍କ ଏହି ବିବାଦୀୟ ପଦକ୍ଷେପ ଯୋଗୁଁ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା । ବୁଧବାର ରାନିଲଙ୍କୁ ସଂସଦରେ ୨୨୫ ସଦଦ୍ୟ ମଧ୍ୟରୁ ୧୧୭ ଜଣ ସଦସ୍ୟ ସମର୍ଥନ ଜଣାଇଥିଲେ । ତେବେ ଏହି ପ୍ରସ୍ତାବ ପାରିତ ହେବା ପରେ ରାଷ୍ଟ୍ରପତି ସିରିସେନାଙ୍କୁ ଝଟକା ଲାଗିଥିବା କୁହାଯାଉଛି । ସେ ୬୯ ବର୍ଷିୟ ବିକ୍ରମସିଂଘେଙ୍କୁ ବ୍ୟକ୍ତିଗତ ଭାବରେ ନାପସନ୍ଦ କରି ପ୍ରଧାନମନ୍ତୀ ପଦରୁ ବହିଷ୍କାର କରିଦେଇଥିଲେ ଏବଂ ତାଙ୍କ ସ୍ଥାନରେ ମହିନ୍ଦ୍ରା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଦାୟୀତ୍ୱ ଦେଇଥିଲେ ।
ଏହା ପୂର୍ବରୁ ରାଜପକ୍ଷେ ସଂସଦରେ ବହୁମତ ହାସଲ କରି ପାରିନଥିଲେ । ମୁଖ୍ୟ ତାମିଲ ମାଇନରିଟି ପାର୍ଟି ବିଶ୍ୱାସ ପ୍ରସ୍ତାବର ସମର୍ଥନରେ ମତଦାନ କରିଛନ୍ତି । ରାଷ୍ଟ୍ରପତି ସିରିସେନାଙ୍କ ଅତିରିକ୍ତ ସମ୍ବିଧାନିକ ଦଖଲକୁ ବିରୋଧ କରୁଥିବା ବାମପନ୍ଥୀ ଦଳ ଜନତା ବିମୁକ୍ତି ପେରାମୁଣା ସଂସଦରେ ଅନୁପସ୍ଥିତ ଥିଲେ । ଯଦି ସେମାନେ ଉପସ୍ଥିତ ଥାନ୍ତେ, ତା’ହେଲେ ବିକ୍ରମସିଂଘେଙ୍କୁ ଅଧିକ ମତଦାନ ମିଳିଥାନ୍ତା ବୋଲି କୁହାଯାଉଛି ।
Prev Post
Next Post