ସଚିନଙ୍କ କୋଚ୍‌ ରମାକାନ୍ତ ଆଚରେକରଙ୍କ ଦେହାନ୍ତ

0

ମୁମ୍ବାଇ, ୨/୧: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଜଣେ ମହାନ୍‌ କ୍ରିକେଟର ଭାବେ ଗଢ଼ି ତୋଳିବାରେ ଗୁରୁଦାୟିତ୍ୱ ତୁଲାଇଥିବା କିମ୍ବଦନ୍ତୀ କ୍ରିକେଟ୍‌ କୋଚ୍‌ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ରମାକାନ୍ତ ଆଚରେକରଙ୍କ ବିୟୋଗ ଘଟିଛି। ବାର୍ଦ୍ଧକ୍ୟଜନିତ କାରଣ ଯୋଗୁ ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଆଚରେକର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ରଶ୍ମି ଡଲ୍‌ଭି କହିଛନ୍ତି। ସଚିନଙ୍କ ପିଲାଦିନର କୋଚ୍‌ ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଆଚରେକର ଭାରତୀୟ କ୍ରିକେଟକୁ ଅତୁଳନୀୟ ଅବଦାନ ଲାଗି ୧୯୯୦ରେ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମଧ୍ୟ ଜିତିଛନ୍ତି। ସେହିଭଳି ୨୦୧୦ରେ ସେ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମଶ୍ରୀ’ ହାସଲ କରିଥିଲେ। ସଚିନ୍‌ଙ୍କ ବ୍ୟତୀତ ଆଚରେକର ଜଣାଶୁଣା କ୍ରିକେଟର ବିନୋଦ କାମ୍ବଲୀ, ପ୍ରବୀଣ ଆମ୍ରେ, ସମୀର ଦିଘେ, ଅଜିତ୍‌ ଅଗରକର, ସଞ୍ଜୟ ବାଙ୍ଗର, ରମେଶ ପାଓ୍ବାର ଓ ବଲବିନ୍ଦର ସିଂ ସାନ୍ଧୁଙ୍କ ମଧ୍ୟ କୋଚ୍‌ ରହିଥିଲେ।

ଜନ୍ମଗ୍ରହଣ କରିଥିବା ଆଚରେକର ମୁମ୍ବାଇ ଦାଦରସ୍ଥିତ ଶିବାଜୀ ପାର୍କ କମଥ ମେମୋରିଆଲ କ୍ରିକେଟ କ୍ଲବରେ ଯୁବ କ୍ରିକେଟରଙ୍କୁ କୋଚିଂ ପ୍ରଦାନ କରିଥାନ୍ତି। ସେ କୋଚିଂ ପ୍ରଦାନ କରିଥିବା ଛାତ୍ରମାନଙ୍କ ମଧ୍ୟରୁ ସଚିନ କ୍ରିକେଟ ଇତିହାସରେ ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଭାବେ ପରିଚୟ ସୃଷ୍ଟି କରିପାରିଥିଲେ। ସଚିନଙ୍କ ପିଲାଦିନର କ୍ୟାରିୟରକୁ ଗଢ଼ି ତୋଳିବାରେ ଆଚରେକର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୧୯୮୯ରେ ପଦାର୍ପଣ କରିଥିବା ସଚିନ ପ୍ରଥମ କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ, ଦିନିକିଆରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ସେହିଭଳି ବିଶ୍ୱର ଏକମାତ୍ର କ୍ରିକେଟର ଭାବେ ସଚିନ ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିବାର ବିରଳ କୃତିତ୍ୱ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ (୩୪, ୩୫୭) ସଂଗ୍ରହ କରିଥିବା ସଚିନ କ୍ରିକେଟରେ ହାସଲ କରିଥିବା ସମସ୍ତ ସଫଳତାର ଶ୍ରେୟ ଆଚରେକରଙ୍କୁ ପ୍ରଦାନ କରିଛନ୍ତି। ଆଚରେକରଙ୍କୁ ଗୁରୁ ଭାବେ ଅଭିହିତ କରିଥିବା ସଚିନ ପ୍ରତିବର୍ଷ ଗୁରୁଦିବସରେ ତାଙ୍କ ଘରକୁ ଯାଇ ଆଶୀର୍ବାଦ ଗ୍ରହଣ କରିଥାନ୍ତି।

ସ୍କୁଲ ସମୟରେ ସଚିନଙ୍କୁ ରମାକାନ୍ତ ଆଚରେକରଙ୍କ ସହ ତାଙ୍କ ଭାଇ ଅଜିତ୍‌ ତେନ୍ଦୁଲକର ପରିଚିତ କରାଇଥିଲେ। ସଚିନଙ୍କ ଟ୍ୟାଲେଣ୍ଟକୁ ଚିହ୍ନିପାରି ଆଚରେକର ନ୍ୟୁ ଇଂଲିଶ ସ୍କୁଲରୁ ଶ୍ରଦ୍ଧାଶ୍ରମ ବିଦ୍ୟାମନ୍ଦିର ହାଇସ୍କୁଲକୁ ପରିବର୍ତ୍ତନ ପାଇଁ ସଚିନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରଦ୍ଧାଶ୍ରମ ବିଦ୍ୟାମନ୍ଦିର ହାଇସ୍କୁଲ କ୍ରିକେଟ ପାଇଁ ବେଶ୍‌ ପରିଚିତ ଥିଲା। ୧୯୮୮ ହାରିସ ସିଲ୍‌ଡ ଟ୍ରଫିରେ ଏହି ଶ୍ରଦ୍ଧାଶ୍ରମ ବିଦ୍ୟାମନ୍ଦିର ସ୍କୁଲ ତରଫରୁ ପ୍ରତିନିଧିତ୍ୱ କରି ସେଣ୍ଟ ଜାଭିୟର ବିପକ୍ଷରେ ସଚିନ ସାଥୀ ଖେଳାଳି ବିନୋଦ କାମ୍ବଲୀଙ୍କ ସହ ମିଶି ୬୬୪ ରନ୍‌ର ବିଶ୍ୱରେକର୍ଡ ପାର୍ଟନରଶିପ୍‌ କରିଥିଲେ। ଏହାର ଗୋଟିଏ ବର୍ଷ ପରେ ସଚିନ ଭାରତ ପକ୍ଷରୁ ପାକିସ୍ତାନ ବିପକ୍ଷରେ କରାଚୀ ଟେଷ୍ଟରେ ପଦାର୍ପଣ କରିଥିଲେ। ଆଚରେକର ନିଜ ସ୍କୁଟରରେ ସଚିନଙ୍କୁ ବସାଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ମ୍ୟାଚ୍‌ ଖେଳିବାକୁ ସାଥିରେ ନେଇ ଯାଉଥିଲେ। ସଚିନଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ସଚିନ: ଏ ବିଲିୟନ ଡ୍ରିମ୍ସ’ରେ ଗୁରୁ ଆଚରେକରଙ୍କ ଭୂମିକାକୁ ମଧ୍ୟ ଦର୍ଶାଯାଇଛି।

Leave A Reply

Your email address will not be published.