ସମ୍ପର୍କକୁ ନେଇ ଅର୍ଜୁନଙ୍କ ବୟାନ

ଲଗାତର କିଛି ଦିନ ହେବ ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ପ୍ରେମ ସମ୍ପର୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏ ଦୁହିଁଙ୍କ ପ୍ରେମକୁ ଛାଡି ଏବେ ସାଧାରଣରେ ଆଲୋଚନା କରାଯାଉଛି ଅର୍ଜୁନ ମଲାଇକା କେବେ ବିବାହ କରୁଛନ୍ତି ! ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦୁହେଁ ନିଜ ଆଡୁ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି । ତେବେ ନିକଟରେ ଅର୍ଜୁନ ଏକ ଇଣ୍ଟରଭୁ୍ୟରେ ଯୋଗ ଦେଇଥିଲେ । ଅର୍ଜୁନ ଓ ମଲାଇକାଙ୍କ ଗୁପ୍ତ ସମ୍ପର୍କ ବିଷୟରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ କହିଥିଲେ- ‘ଏବେ ମୁଁ ଏ ସମ୍ପର୍କ ନେଇ କିଛି ଭାବୁନାହିଁ ଓ ଏବେ ମୁଁ ବଏନେି କିଛି କହିବାକୁ ମଧ୍ୟ ଚାହୁଁ ନାହିଁ ।’ ଅରବାଜ୍‌ଙ୍କଠାରୁ ଡିଭୋର୍ସ ପରେ ମଲାଇକା ଓ ଅର୍ଜୁନ କପୁର ପରସ୍ପରର ନିକଟତର ହୋଇଥିଲେ । ଦୁହେଁ ଅନେକ ଥର ଏକାଠି ଡେଟ୍‌ରେ ଯିବା ସମୟରେ ଜନସାଧାରଣରେ ଧରପଡ଼ିଛନ୍ତି । ବର୍ତ୍ତମାନ ଅର୍ଜୁନ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପାନୀପଥ’ରେ ବ୍ୟସ୍ତ ।
କିଛିଦିନ ତଳେ ମଲାଇକା କରଣଙ୍କ ଚାଟ୍‌ ଶୋ’ରେ ଯୋଗ ଦେଇଥିଲେ । ଯେଉଁଥିରେ ସେ ଅର୍ଜୁନଙ୍କ ଖୁବ୍‌ ତାରିଫ କରିଛନ୍ତି । ଏହା ଛଡା ନିକଟରେ ମଲାଇକାଙ୍କ ଏକ ଇଣ୍ଟରଭୁ୍ୟରେ ସେ ତାଙ୍କ ଓ ଅର୍ଜୁନଙ୍କ ସମ୍ପର୍କ ବାବଦକୁ ମୁହଁ ଖୋଲିଛନ୍ତି । ଯେଉଁଥିରେ ମଲାଇକା କହିଛନ୍ତି- ‘ସମସ୍ତେ ନିଜ ଲାଇଫ୍‌ରେ ଆଗକୁ ବଢ଼ିବା ଦରକାର । ପୂର୍ବ କଥାକୁ ଭୁଲି ସଭିଏଁ ନିଜ ଜୀବନର ନୂଆ ଆରମ୍ଭ କରନ୍ତି… ଜୀବନରେ ଜଣେ ଭଲ ସାଥୀର ସନ୍ଧାନରେ ସମସ୍ତେ ଥାନ୍ତି, ଯଦି କାହାକୁ ଭଲ ସାଥୀ ବା ପ୍ରେମିକ ମିଳିଯାଏ ତେବେ ତା’ ସହ ଭବିଷ୍ୟତ ଗଢ଼ିବା କିଛି ଖରାପ୍‌ କଥା ନୁହେଁ ।’ ସେପଟେ ଅର୍ଜୁନ ମଧ୍ୟ ନିଜର ଅନେକ ସାକ୍ଷାତକାରରେ ନିଜ ପ୍ରେମ ସମ୍ପର୍କକୁ ନେଇ ସବୁବେଳେ ସକାରାତ୍ମକ ମନ୍ତବ୍ୟ ଦେଉଛନ୍ତି । ଆଗାମୀ ଦିନ ଗୁଡ଼ିକରେ ଜଣା ପଡ଼ିବ ଯେ ଅର୍ଜୁନ-ମଲାଇକାଙ୍କ ଏ ଗୁପ୍ତ ସମ୍ପର୍କ ଉପରୁ କେବେ ପର୍ଦ୍ଦା ହଟୁଛି!