ସାଉଦି ଆରବର ରାଷ୍ଟ୍ରାୟାତ୍ତ ପେଟ୍ରୋଲିୟମ୍ ତଥା ପ୍ରାକୃତିକ ଗ୍ୟାସ୍ କମ୍ପାନୀ ଆରାମକୋ (ସାଉଦି ଆରବିଏନ୍ ଅଏଲ୍ କମ୍ପାନୀ) ବର୍ଷକୁ କେତେ ଲାଭ କରୁଛି ତାହାକୁ ବର୍ଷ ବର୍ଷ ଧରି ଗୁପ୍ତ ରଖାଯାଇଥିଲା । ଗତ ସପ୍ତାହରେ ଆରାମ୍କୋର ଏହି ରହସ୍ୟ ଉପରୁ ପର୍ଦ୍ଦା ହଟିଛି । ଗତବର୍ଷ ଆରାମ୍କୋ ୧୧୧.୧ ବିଲିୟନ ଡଲାର ଲାଭ ପାଇଛି ଯାହା ପୃଥିବୀର କୌଣସି କମ୍ପାନୀ ପକ୍ଷରେ ଆଜିଯାଏ ସମ୍ଭବ ହୋଇ ନାହିଁ । ୨୦୧୮ରେ ଆପଲ କମ୍ପାନୀ ୫୯.୫ ବିଲିୟନ୍ ଡଲାର ଆୟ କରିଥିଲା । ୨୦୧୬ରେ ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ପେଟ୍ରୋଲିୟମ୍ ମୂଲ୍ୟ ଅତ୍ୟଧିକ କମିଯିବାରୁ ଆରାମ୍କୋର ଲାଭ ମାତ୍ର ୧୩ ବିଲିୟନ୍ ଡଲାର ହୋଇଥିଲା । ୨୦୧୮ରେ ଏହି କମ୍ପାନୀ ସାଉଦି ସରକାରଙ୍କୁ ୧୬୦ ବିଲିୟନ୍ ଡଲାର ଲାଭାଂଶ ଦେଇଥିଲା । ଆରାମ୍କୋ ଅଧିନରେ ପୃଥିବୀର କେତେକ ବୃହତ୍ ତୈଳକ୍ଷେତ୍ର ଅଛି । ଏଗୁଡ଼ିକୁ କମ୍ପାନୀ ଖୁବ୍ କମ୍ ମୂଲ୍ୟରେ କିଣିଥିଲା । ପର୍ଯ୍ୟାପ୍ତ ତୈଳ ଉପାର୍ଜନ ଯୋଗୁ ହିଁ ଆରାମ୍କୋ ଏତେ ଲାଭବାନ ହୋଇପାରିଛି ।
ଆରାମ୍କୋଠାରୁ ଆୟ କ୍ଷେତ୍ରରେ ଅନ୍ୟ ପ୍ରମୁଖ ତୈଳ କମ୍ପାନୀ ଯଥା ରୟାଲ୍ ଡଚ୍ ଶେଲ୍ ଓ ଏକ୍ସୋନ୍ ମୋବିଲ ବହୁ ପଛରେ ରହିଛନ୍ତି । ଏବେ ସାଉଦି ଆରାମ୍କୋ ବଣ୍ଡ ବିକି ୧୫ ବିଲିୟନ ଡଲାରର ପୁଞ୍ଜି ସଂଗ୍ରହ କରିବାକୁ ଯାଉଛି । ରାଜସ୍ୱ ସଂଗ୍ରହ ପାଇଁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଉପରେ ନିର୍ଭରତା କମାଇବାକୁ ସାଉଦି ଆରବ ଉଦ୍ୟମ କରୁଛି ।
Prev Post