ନୂଆଦିଲ୍ଲୀ, ୨୦/୨: ଜାମ୍ମୁ ଓ କାଶ୍ମୀରରେ ପାକିସ୍ତାନ ହମଲାରେ ସହିଦ ଯବାନ ରାଜେଶ ଯାଦବଙ୍କ ଘରେ ସେହି ସମୟରେ ଖୁସିରେ ଝୁମି ଉଠିଥିଲା, ଯେବେ ତାଙ୍କର ବିଧବା ପତ୍ନୀ ଶ୍ଵେତା ଯାଦବ ଏକ ଘରୋଇ ହସ୍ପିଟାଲରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ। ଏହା ପରେ ଶ୍ୱେତା କହିଛନ୍ତି ଯେ ସେ ତାଙ୍କ ଛୁଆକୁ ସେନାକୁ ପଠାଇବେ ଏବଂ ସେ ପାକିସ୍ତାନଠୁ ନିଜ ପିତାର ବଳିଦାନର ପ୍ରତିଶୋଧ ନେବ ।
ସୂଚନା ମୁତାବକ , ଉତ୍ତରପ୍ରଦେଶର ଏଟା ନିବାସୀ ଯବାନ ରାଜେଶ ଯାଦବ ୨୦୧୮ ମସିହା ଡିସେମ୍ବର ୦୫ ତାରିଖରେ ଆତଙ୍କୀ ସହ ଗୁଳିବିନିମୟରେ ସହିଦ ହୋଇଥିଲେ। ସେତେବେଳକୁ ତାଙ୍କ ପତ୍ନୀ ଶ୍ୱେତା ଗର୍ଭବତୀ ଥିଲେ । ସ୍ୱାମୀ ସହିଦ ହୋଇଥିବା ଦୁଃଖକୁ ଛାତିରେ ଚାପି ରଖି ସେ ନିଜ ଗର୍ଭରେ ବଢୁଥିବା ଛୁଆକୁ ଜନ୍ମ ଦେଇଛନ୍ତି। ସେ ନବଜାତ ଶିଶୁପୁତ୍ରକୁ ଦେଖି ବହୁତ ଖୁସି ଅଛନ୍ତି କାରଣ ସେ ନିଜ ପୁଅକୁ ଭାରତୀୟ ସେନାକୁ ପଠାଇବାକୁ ଚାହାଁନ୍ତି ।
ଶ୍ୱେତାଙ୍କୁ ସ୍ୱାମୀ ସହିଦ ହେବା ଅନେକ ଦୁଃଖ ରହିଛି । କିନ୍ତୁ ତାଙ୍କୁ ବର୍ତ୍ତମାନ ମଧ୍ୟ ଦେଶ ଭକ୍ତି ପ୍ରତି ସମ୍ମାନ ରହିଛି । ସହିଦଙ୍କ ପିତା କହିଛନ୍ତି ଯେ , ଦେଶପାଇଁ ନିଜ ପୁଅକୁ ହରାଇଛନ୍ତି କିନ୍ତୁ ନିଜ ନାତିକୁ ପୁଅ ଭଳି ପୁଣି ପାଇଛନ୍ତି । ତାଙ୍କୁ ତାଙ୍କ ପୁଅଠାରୁ ଅଧିକ ସ୍ନେହ ଦେଇ ପାଳିବେ । ରାଜେଶ ଯାଦବ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲେ । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲା ତାଙ୍କ ପୁଅର ସ୍ମୃତିକୁ ପୁଣି ତାଜା କରିଦେଇଛି ।