ତିରୁବନନ୍ତପୁରମ୍, ୩/୧ : କେରଳର ବହୁ ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ବୁଧବାର ୨ ମହିଳାଙ୍କ ପ୍ରବେଶ ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ହିନ୍ଦୁବାଦୀ ସଂଗଠନ ଗରୁବାର ରାଜ୍ୟବ୍ୟାପି ବନ୍ଦ ଡାକରା ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ତାନରେ ପ୍ରତିବାଦ ଲାଗି ରହିଥିବା ବେଳେ ରାଜ୍ୟର ଅସ୍ଥିରତାକୁ ଦେଖି ବିରୋଧୀ ଦଳ ପିନରାୟି ବିଜୟ ନେତୃତ୍ୱାଧୀନ ବାମ ସାମ୍ମୁଖ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ବୁଧବାର ବିଜେପି ଏବଂ ସିପିଆଇଏମର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ସାବରିମାଳା କର୍ମ ସମିତିର ଜଣେ ୫୫ ବର୍ଷିୟ କର୍ମୀଙ୍କ ମୁଣ୍ଡରେ ଢେଲା ମାଡ ହୋଇଥିଲା । ଏଥିରେ ସେ ଗୁରୁତର ଭାବେ ଆହାତ ହୋଇଥିଲେ । ତେବେ ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ତେବେ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । କଂଗ୍ରେସ ମେଣ୍ଟ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ ଆଜି କେରଳରେ ‘କଳା ଦିବସ’ ପାଳନ କରିବାର ନିଷ୍ପତ୍ତି ନେଇଛି । ଅନ୍ୟ ପକ୍ଷରେ କେରଳରେ ବାରମ୍ବାର ହେଉଥିବା ବନ୍ଦ ପାଳନ ଯୋଗୁଁ ଅସୁବିଧା ପ୍ରକାଶ କରି କେତେକ ବ୍ୟବସାୟୀ ସଂଗଠନ ବନ୍ଦ ପାଳନକୁ ନମାନିବା ତଥା ଦୋକାନ ବଜାର ଖୋଲା ରଖିବାର ନିଷ୍ପତ୍ତି ନେଇଛନ୍ତି । ୟୁଡିଏଫ୍ ବ୍ୟତୀତ କେତେକ ହିନ୍ଦୁ ସଂଗଠନ ମଧ୍ୟ ସକାଳୁ ସନ୍ଧ୍ୟାଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ରାଜଧାନୀର ରେଳ ଷ୍ଟେସନ୍ ଏବଂ ଅନ୍ୟ କେତେକ ସ୍ଥାନରେ ଅଟୋରିକ୍ସା ଏବଂ ଦୁଇଚକିଆ ଯାନ ଚଳାଚଳ କରୁଛି । କୋଝିକୋଡ଼ଠାରେ ପ୍ରତିବାଦକାରୀମାନେ ସକାଳେ ପୁରୁଣା ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ହରତାଳ ଡାକରା ଦେଇଛନ୍ତି ସାବରିମାଳା କର୍ମ ସମିତି ଏବଂ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ୍ । କେରଳ, ମହାତ୍ମା ଗାନ୍ଧୀ, କାଲିକଟ୍ ଏବଂ କନ୍ନୁର ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁରୁବାର ଦିନ ଥିବା ସେମାନଙ୍କର ପରୀକ୍ଷା ବାତିଲ କରିଛନ୍ତି । ବୁଧବାର କଳା ରଙ୍ଗର ବସ୍ତ୍ର ପିନ୍ଧି ୪୫ ବର୍ଷରୁ କମ ବୟଷ୍କା ବିନ୍ଦୁ ଏବଂ କନକଦୁର୍ଗା ନାମ୍ନୀ ୨ ମହିଳା ହିନ୍ଦୁବାଦୀ ସଂଗଠନର ଧମକକୁ ଖାତିର ନକରି ସାବରିମାଳା ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରି ବହୁ ପୁରୁଣା ପରମ୍ପରାକୁ ଖଣ୍ଡନ କରିଥିଲେ । ତେବେ ଏହି ୨ ମହିଳାଙ୍କ ମନ୍ଦିର ପ୍ରବେଶ ଘଟଣା ସାମ୍ନାକୁ ଆସିବା ପରେ କେରଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।