ସିଟି ଗ୍ୟାସ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ୱର,୨୨/୧୧: ଦେଶରେ ଆଜି ୬୩ଟି ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ ଓ ବିଡିଂ ପର୍ଯ୍ୟାୟର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହୋଇଯାଇଛି। ଏଥିମଧ୍ୟରେ ଓଡ଼ିଶାର ୭ଟି ଭୌଗୋଳିକ କ୍ଷେତ୍ର ରହିଛି। ଓଡ଼ିଶାର ଏହି ସାତଟି ପ୍ରକଳ୍ପ ହେଲା ୧) ସୁନ୍ଦରଗଡ଼-ଝାରସୁଗୁଡ଼ା, ୨) ଯାଜପୁର-କେନ୍ଦୁଝର, ୩ ) ଅନୁଗୁଳ-ଢେଙ୍କାନାଳ, ୪) ବାଲେଶ୍ୱର- ଭଦ୍ରକ-ମୟୂରଭଞ୍ଜ, ୫) ବରଗଡ଼- ଦେବଗଡ଼-ସମ୍ବଲପୁର, ୬) ଗଞ୍ଜାମ-ନୟାଗଡ଼-ପୁରୀ , ୭) ଜଗତିସଂହପୁର-କେନ୍ଦ୍ରାପଡ଼ା ଜିଲ୍ଲା । ଏତଦଦ୍ୱାରା ରାଜ୍ୟର ୩.୫ ଲକ୍ଷ ପରିବାରକୁ ମିଳିବ ପାଇପ୍‌ ଗ୍ୟାସ୍‌ ସଂଯୋଗ ମିଳିବ। ଏହି ଅବସରରେ ଶ୍ରୀ ମୋଦୀ ସିଟି ଗ୍ୟାସ ବିତରଣର ସଫଳତା ବର୍ଣ୍ଣନା କରିଛନ୍ତି। ୨୦୧୪ରେ କେବଳ ଦେଶର ୬୬ଟି ଜିଲ୍ଲାରେ ସିଟି ଗ୍ୟାସ ବିତରଣ ହୋଇଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୬୬ ଜିଲ୍ଲାରେ ପହଞ୍ଚିଛି। ଆଗାମୀ ୨-୩ ବର୍ଷରେ ଏହା ୪୦୦ ଜିଲ୍ଲା ପର୍ଯ୍ୟନ୍ତ ପହଞ୍ଚିବ। ଏହା ଅର୍ଥନୀତି କ୍ଷେତ୍ରକୁ ସୁଦୃଢ କରିବାରେ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଭିତିପ୍ରସ୍ତର ସ୍ଥାପନ ଅବସରରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି, ଭୂବିଜ୍ଞାନ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ସମ୍ମାନାସ୍ପଦ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ସହରଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଲାଗି ପାଇପ ଲାଇନ ଜରିଆରେ ଗ୍ୟାସ ସଂଯୋଗକୁ ୨୮ ଲକ୍ଷରୁ ୧ କୋଟିକୁ ବୃଦ୍ଧି କରାଯିବ। ୨୭ ମାର୍ଚ୍ଚ ୨୦୧୫ରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଉର୍ଜା ସଂଗମ ୨୦୧୫ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.