ଲକ୍ଷ୍ନୌ, ୨୧/୧ : ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସାଧୁ ସନ୍ଥଙ୍କୁ ମାସିକ ୨୦ହଜାର ଟଙ୍କା ପେନସନ ମିଳିବା ଉଚିତ୍ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ଭଗବାନ ରାମ ଏବଂ ମାତା ସୀତାଙ୍କୁ ମଧ୍ୟ ପେନସନ ମିଳିବା ଉଚିତ୍ । ଏହା ପରେ ଯଦି କିଛି ବଂଚିଯାଏ ତେବେ ରାବଣକୁ ମଧ୍ୟ ପେନସନ ଦିଆଯାଉ ବୋଲି ଅଖିଳେଶ ଯାଦବ କହିଛନ୍ତି । ଆଜି ଗଣମାଧ୍ୟମ ନିକଟରେ ଅଖିଳେଶ ଏହି ବିବାଦୀୟ ବୟାନ ଦେଇଛନ୍ତି ।
ଅଖିଳେଶ କହିଛନ୍ତି କି, ଆମେ ଯଶ ଭାରତୀ ସମ୍ମାନ ଦେଇଥିଲୁ ଏବଂ ସମାଜବାଦୀ ପାର୍ଟି ପେନଶନ ଦେଉଥିଲା । କିନ୍ତୁ ସରକାର ଏହା ସବୁ ବନ୍ଦ କରି ଦେଇଛି । ଏବେ ଏହାକୁ ପୁଣି ଥରେ ଆରମ୍ଭ କରାଯିବା ଉଚିତ୍ । ସେହି ସମୟରେ ବିଜେପି ବିଧାୟକ ସାଧନା ସିଂହଙ୍କ ଦ୍ୱାରା ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ କରାଯାଇଥିବା ଟିପ୍ପଣୀରେ ଅଖିଳେଶ ଯାଦବ କହିଛନ୍ତି କି, ଏହି ଲୋକଙ୍କୁ ନିଜ ହାର ସୁନିଶ୍ଚିତ ଦେଖାଯାଉଛି । ସେଥିପାଇଁ ସେମାନଙ୍କ ଭାଷା ତଳକୁ ଖସିଛି । ମାୟାବତୀଙ୍କ ଉପରେ ବିଜେପି ବିଧାୟକ ଏଭଳି ଟିପ୍ପଣୀ କରି ନିଜ ହାରକୁ ଦର୍ଶାଉଛନ୍ତି । ଏବେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସିବ ବିଜେପି ନେତାଙ୍କ ଭାଷା ଆହୁରି ତଳକୁ ଖସିଯିବ ।