ନୂଆଦିଲ୍ଲୀ, ୨୩/୧୧ : ଭାରତୀୟ ମହିଳା କ୍ରିକେଟ ଟିମକୁ ମହିଳା ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପୁଣିଥରେ ନିରାଶ ହେବାକୁ ପଡିଛି । େୱଷ୍ଟଇଣ୍ଡିଜର ଆଣ୍ଟିଗୁଆଠାରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ଏହି ମହତ୍ୱପୁର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତୀୟ ଟିମ । ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ଭାରତ ପକ୍ଷରୁ ଇଂଲଣ୍ଡକୁ ୧୧୩ ରନର ଟାର୍ଗେଟ ଦିଆଯାଇଥିଲା । ଭାରତୀୟ ଟିମର ସ୍ମୃତି ମନ୍ଧାନା ଏହି ମ୍ୟାଚରେ ସର୍ବାଧିକ ୩୪ ରନ କରିଥିଲେ । ମାନ୍ଧାନାଙ୍କ ବ୍ୟତୀତ ଜେମିମା ରେଡ୍ରିଗ୍ସ ୨୬ ରନ, ଅଧିନାୟିକା ହରମନପ୍ରୀତ ୧୬ ଏବଂ ତାନିୟା ଭାଟିଆ ୧୧ ରନ କରିଥିଲେ । ଇଂଲଣ୍ଡ ବୋଲରଙ୍କ ସଠିକ୍ ସାମ୍ନା କରିନପାରି ଭାରତୀୟ ଟିମ୍ ମୋଟ୍ ୧୧୨ରନ୍ କରିପାରିଥିଲା । ଯବାବରେ ଇଂଲଣ୍ଡ ୨ ୱିକେଟ ହରାଇ ୧୭.୧ ଓଭରରେ ୧୧୬ ରନ୍ କରି ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ରାଧା ଯାଦବ ଓ ଅଞ୍ଜୁ ପାଟିଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଇଂଲଣ୍ଡ ପକ୍ଷରୁ ନତେଲି ସ୍କିଭର ୫୪ ରନ ଏବଂ ଆମି ଜୋନ୍ସ ୫୩ ରନ ସଂଗ୍ରହ କରିଥିଲେ ।