ଭୁବନେଶ୍ୱର , ୨୭/୧୨: ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ଆଜି ପାଞ୍ଚଦିନିଆ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍ଘାଟନୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭବିଷ୍ୟତର ବୈଜ୍ଞାନିକଙ୍କୁ ଶିଶୁ ବିଜ୍ଞାନ କଂଗ୍ରେସ ଆଗକୁ ନେବ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ସରକାର ଅନେକ କିଛି କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ସାଇନ୍ସ ପାର୍କ କରାଯାଇଛି ।
ଗୁରୁବାର ପୂର୍ବାହ୍ଣ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ୨ରେ ଥିବା ଅଡିଟୋରିୟମରେ ପହଞ୍ଚି ଏହାକୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ସୋଆ ଭିସି ଅମିତ ବାନାର୍ଜୀ ସାମିଲ ହୋଇଥିଲେ। ଆଜିଠାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ଯୋଗଦେବାକୁ ଆଜି ୧୦ ବର୍ଷରୁ ୧୭ ବର୍ଷ ବୟସ ମଧ୍ୟରେ ପ୍ରାୟ ୮ ସହ ଶିଶୁ ବୈଜ୍ଞାନିକ ରାଜଧାନୀରେ ଆସି ପହଂଚିଛନ୍ତି । ପଦଯାତ୍ରାରେ ବିଜ୍ଞାନର ବାର୍ତା ନେଇ ଏହି ଶିଶୁ ବୈଜ୍ଞାନିକମାନେ ସୋଆ ଷ୍ଟାଡିୟମ ପର୍ଯ୍ୟନ୍ତ ଆସିଥିଲେ । ଭାରତ ସମେତ ୧୦ଟି ଏସିଆନ ରାଷ୍ଟ୍ରରୁ ଏହି ଶିଶୁ ବୈ ଜ୍ଞାନିକମାନେ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ସେମାନଙ୍କ ସହ ୪୦୦ ଜଣ ପ୍ରଶିକ୍ଷକ ମଧ୍ୟ ଆସି ପହଂଚିଛନ୍ତି ।
ନ୍ୟାସନାଲ କାଉନସେଲ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଦ୍ୱାରା ଆୟୋଜିତ ହୋଇଥିବା ଏହି ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ ରହିଛି ‘ସ୍ୱଚ୍ଛ ସବୁଜ ଓ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ନୂତନ ପ୍ରବର୍ତନ ’। ଛାତ୍ରଛାତ୍ରୀମାନେ ଏହି ବିଷୟବସ୍ତୁକୁ ନେଇ ୮୦ରୁ ଅଧିକ ପ୍ରକଳ୍ପ ପ୍ରଦର୍ଶନ କରିବେ । ସାଧାରଣଲୋକଙ୍କ ନିକଟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ପହଂଚାଇବା ସହ ଶିଶୁମାନଙ୍କ ପ୍ରତିଭା ଓ ଦକ୍ଷତା ବିକାଶ କରିବା ଲକ୍ଷ୍ୟରେ ଏହି ଜାତୀୟ ବିଜ୍ଞାନ କଂଗ୍ରେସର ଆୟୋଜନ କରାଯାଇଛି । ୧୯୯୩ରୁ ଆରମ୍ଭ ହୋଇଥିବା ଏହି ଜୀତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓଡିଶାରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଛି ।