ଭୁବନେଶ୍ୱର,୧୭/୧୨: ସାମୁଦ୍ରିକ ଝଡ଼ ପେଥାଇ ଆଜି ଆନ୍ଧ୍ରପ୍ରଦେଶ କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁଛି। ପୂର୍ବ ଗୋଦାବରୀ ଜିଲ୍ଲାର କାଟ୍ରେନିକୋଣାରେ ସମୁଦ୍ରରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଲ୍ୟାଣ୍ଡଫଲ କରିଛି ପେଥାଇ। ସ୍ଥଳଭାଗ ଛୁଇଁବା ପରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି। ଘୂର୍ଣ୍ଣିଝଡ଼ ପେଥାଇର ମୁକାବିଲା କରିବା ପାଇଁ ଆନ୍ଧ୍ରରେ ୧୨ଟି ଏନଡ଼ିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି। ସେପଟେ ବାତ୍ୟା ଦୃଷ୍ଟିରୁ ସତର୍କ ସ୍ୱରୂପ ରେଳ ବିଭାଗ ପକ୍ଷରୁ ଟ୍ରେନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
ପେଥାଇ ପାଇଁ ଆନ୍ଧ୍ରର ୩୫୦ଟି ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଓଡିଶାର ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନାଗିରି, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ସମେତ ରାଜ୍ୟର ୧୬ଟି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏତଦ୍ ବ୍ୟତୀତ ଓଡିଶାର ୧୧ଟି ଜିଲ୍ଲାକୁ ଯଥା ୟେଲୋ ୱାର୍ଣ୍ଣି ଦିଆଯାଇଥିବା ବେଳେ ୪ଟି ଜିଲ୍ଲା ଯଥା ଗଜପତି, ମାଲକାନାଗିରି, ରାୟଗଡା ଏବଂ କୋରାପୁଟ ରେ ଅରେଞ୍ଜ ୱାର୍ଣ୍ଣି ଦିଆଯାଇଛି । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।
ଅନ୍ୟପକ୍ଷରେ ପେଥାଇ ପାଇଁ ରେଳବିଭାଗ ପକ୍ଷରୁ କିଛି ଟ୍ରେନ ଚାଳନା ଉପରେ କଟକଣା ଜାରି କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବା ବ୍ୟବସ୍ଥା କରାଯାଇଛି । ହାୱଡ଼ା –ଚେନ୍ନାଇ ମେଲ ନୁଆପଡ଼ାରୁ ବାହାରି ବିଜୟନଗରମ ଷ୍ଟେସନରେ ରହିବ । ସାଲିମାର – ତ୍ରିଭେନ୍ଦମ ଏକ୍ସପ୍ରେସକୁ ପଲାସାରେ ନିୟନ୍ତ୍ରଣ କରାଯିବ । ହାୱାଡ଼ା – ଯଶୋବନ୍ତପୁର ଏକ୍ସପ୍ରେସ ,ଭୁବନେଶ୍ୱର –ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ବିଶାଖାପାଟଣା ଷ୍ଟେସନରେ ରହିବ । ପୁରୀ –ତିରୁପତି ଏକ୍ସପ୍ରେସ ୧ଟା ୧୫ ପରିବେ ର୍ ଅପରାହ୍ନ ୫ଟା ୧୫ରେ ପୁରୀ ଷ୍ଟେସନ ଛାଡ଼ିବ ।