ଭୁବନେଶ୍ୱର,୧୩/୮: ଆଉ ଗୋଟିଏ ଦିନର ବ୍ୟବଧାନ ପରେ ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ । ଚଳିତ ବର୍ଷ ଓଡ଼ିଶାରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ସ୍ଥାନରେ ପରିବର୍ତ୍ତନ କରାଯାଇଛି । ଗାନ୍ଧୀ ମାର୍ଗ ବଦଳରେ ପ୍ରଥମଥର ପାଇଁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଉଛି । ଏଥିପାଇଁ ଜୋରଦାରରେ ଚାଲିଛି ପ୍ରସ୍ତୁତି । ଏହା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ଏଥର ମୋଟ ୪ଟି ଟ୍ରୁପସ୍ ପରେଡରେ ସାମିଲ ହେବେ । ତେଲେଙ୍ଗାନା ପୁଲିସ, ଟେରିଟୋରିଆଲ ଆର୍ମୀ, ସିଏଏଫ ଏବଂ ଓଡିଶା ପୁଲିସ ପରେଡ୍ରେ ଭାଗ ନେଉଛନ୍ତି । ସେଥିପାଇଁ ସବୁ ଗ୍ରୁପ୍ ଗୁଡ଼ିକ ଅଭ୍ୟାସ ଜାରି ରଖିଛନ୍ତି । ପୋଲିସ ଡ଼ିଜିଙ୍କ ଉପସ୍ଥିତିରେ ଆଜି ରିହରସେଲ ଚାଲିଛି । ପରେଡ ଦେଖିବା ପାଇଁ ପ୍ରାୟ ୮ରୁ ୧୦ ହଜାର ଦର୍ଶକଙ୍କ ସମାଗମ ହେବ ବୋଲି ବୋଲି ଆକଳନ କରାଯାଉଛି । ସେଥିପାଇଁ ପାର୍କିଂ, ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯିବ ।