ହକି ବିଶ୍ୱକପ୍‌ର ଅତିଥି ଲିଆଣ୍ଡର ପେସ୍‌

ଭୁବନେଶ୍ୱର, ୫/୧୨: ଅଭିଜ୍ଞ ଭାରତୀୟ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ରେ ଅତିଥି ଭାବେ ଯୋଗଦେଇଛନ୍ତି। ବୁଧବାର ଅନୁଷ୍ଠିତ ଜର୍ମାନୀ- ନେଦରଲାଣ୍ଡ୍ସ ମ୍ୟାଚ୍‌ ଦେଖି ସେ ହକିର ମଜା ନେଇଛନ୍ତି। ଟେନିସ ଖେଳାଳି ହୋଇଥିଲେ ମଧ୍ୟ ହକି ପ୍ରତି ତାଙ୍କର ଭଲ ପାଇବା ରହିଛି ବୋଲି ପେସ୍‌ କହିଛନ୍ତି। ମୋ ବାପା ଭେସ୍‌ ପେସ ଭାରତୀୟ ଦଳ ପାଇଁ ହକି ଖେଳିଛନ୍ତି। ସେ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ମୋ ମା ଭାରତୀୟ ବାସ୍କେଟ ବଲ ଦଳର ଅଧିନାୟିକା ଥିଲେ। ତେଣୁ ଟେନିସ୍‌କୁ ବାଦ୍‌ଦେଲେ ହକି ତଥା ଅନ୍ୟ କ୍ରୀଡ଼ା ପ୍ରତି ମୋର ଭଲ ପାଇବା ରହିଛି ବୋଲି ପେସ୍‌ କହିଛନ୍ତି। ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମ ଆସି ସେ ଖୁସ୍‌ ଜାହିର କରିଛନ୍ତି। ଏହି ଷ୍ଟାଡିୟମ ଅତି ସୁନ୍ଦର ଲାଗୁଛି। ଖଚାଖଚ୍‌ ଭରା ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବା ବେଶ୍‌ ଆମୋଦଦାୟକ ଓ କଳିଙ୍ଗ ଷ୍ଟାଡିୟମ ବିଶ୍ୱସ୍ତରର ବୋଲି ପେସ କହିଛନ୍ତି। ଖୁସିରେ ରହିବା ଓ ଆନନ୍ଦର ସହ ବଞ୍ଚିବା ଶିଖିଲେ ଜଣେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ। ଏଥିସହିତ ଅଧ୍ୟବସାୟ, କଠିନ ପରିଶ୍ରମ କରିପାରିଲେ ଜଣେ କ୍ରୀଡ଼ାବିତ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ବୋଲି ୧୮ଟି ଗ୍ରାଣ୍ଡସ୍ଲାମ ଜିତିଥିବା ୪୫ ବର୍ଷୀୟ ପେସ୍‌ କହିଛନ୍ତି। ଏହି ଅବସରରେ ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.କେ. ଶ୍ରୀବାସ୍ତବ ପେସ୍‌ଙ୍କୁ ସମ୍ପର୍ଦ୍ଧିତ କରିଥିଲେ। ଥି ଲିଆଣ୍ଡର ପେସ୍‌