ଚଣ୍ଡିଗଡ଼,୨୬/୧୦: ହରିୟାଣାରେ ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନା ଜଳ୍ପନା ଶେଷ ହୋଇଛି। ଜନନାୟକ ଜନତା ପାର୍ଟି(ଜେଜେପି)ର ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌତାଲା ହିଁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହେବେ। ଏହା ସହ ମନୋହର ଲାଲ ଖଟ୍ଟର ରବିବାର ଅପରାହ୍ନ ୨ଟା ୧୫ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଖଟ୍ଟର କ୍ରମାଗତ ଦ୍ଵିତୀୟ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରାଜ୍ୟପାଳ ସତ୍ୟଦେବ ନାରାୟାଣ ଆର୍ଯ୍ୟଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବା ପରେ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, ରବିବାର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଏବଂ ମନ୍ତ୍ରିମଣ୍ଡଳର ବାକି ସଦସ୍ୟଙ୍କ ବିଷୟରେ ସୂଚନା ଦିଆଯିବ।
ଏହା ପୂର୍ବରୁ ହରିୟାଣାରେ ଜେଜେପି ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ପୂର୍ବେ ଦୁଷ୍ୟନ୍ତଙ୍କ ମା ଓ ଚରଖି ଦାଦରୀର ବାଢଦା ଆସନରୁ ବିଧାୟକ ନୈନା ଚୌତାଲା ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ।
ଦୁଷ୍ୟନ୍ତ ଚୌତାଲାଙ୍କ ଜନ ନାୟକ ପାର୍ଟି ସହିତ ଚୁକ୍ତି ଚୂଡାନ୍ତ ହେବା ପରେ ବର୍ତ୍ତମାନ ବିଜେପି ସରକାର ଗଠନ ପ୍ରସ୍ତୁତିରେ ଜୁଟି ଯାଇଛି। ଚଣ୍ଡିଗଡ଼ରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେପିର ବିଧାୟକ ଦଳ ବୈଠକ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ମନୋହର ଲାଲ ଖଟ୍ଟର ଓ ଦୁଷ୍ୟନ୍ତ ଚୌତାଲା ଆଜି ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା।
ବିଜେପିର ବିଧାୟକ ଦଳ ବୈଠକରେ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଶନିବାର ଅପରାହ୍ନରେ ୟୁପି ଗେଷ୍ଟ ହାଉସରେ ହୋଇଥିବା ବୈଠକରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ରବିଶଙ୍କର ପ୍ରସାଦ ଓ ବିଜେପି ମହାସଚିବ ଅରୁଣ ସିଂହ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ।