ନୂଆଦିଲ୍ଲୀ,୨୯/୩ : ଗୁଜରାତ ହାଇକୋର୍ଟରୁ ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଲାଗିଲା ଜୋରଦାର ଝଟକା। କୋର୍ଟ ହାର୍ଦ୍ଦିକ ପଟେଲଙ୍କ ନିର୍ବାଚନ ଲଢିବା ଉପରେ ରୋକ୍ ଲଗାଇଛନ୍ତି। ଦଙ୍ଗା ଭଡ଼କାଇବା ଆରୋପରେ ଗୁଜରାତ ହାଇକୋର୍ଟ ହାର୍ଦ୍ଦିକ ପଟେଲଙ୍କ ଉପରେ ଏହି ସଜା ଶୁଣାଇଛନ୍ତି। ୨୦୧୮ରେ କୋର୍ଟ ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଜେଲ ସଜା ଶୁଣାଇଥିଲେ।
ଗୁଜରାତ ହାଇକୋର୍ଟ ୨୦୧୫ରେ ମେହସାଣା ଦଙ୍ଗା ମାମଲାରେ ତାଙ୍କୁ ମିଳିଥିବା ଦୁଇ ବର୍ଷର ଜେଲ ସଜା ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। ଜନପ୍ରତିନିଧି ଅଧିନିୟମ ୧୯୫୧ ଅଧିନିୟମ ମୁତାବକ, ସେ ନିର୍ବାଚନ ଲଢିବାକୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି।
ଗୁଜରାତରେ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଅନ୍ତିମ ତାରିଖ ଏପ୍ରିଲ ୪ ରହିଛି। ହାର୍ଦ୍ଦିକ ପଟେଲ ଗତ ଶୁଣାଣିରେ କହିଥିଲେ ଯେ, ଯଦି ତାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ନମିଳେ ତେବେ, ସେ ଶୀଘ୍ର ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେବେ। କଂଗ୍ରେସରେ ସାମିଲ ହେବାର ଚାରି ଦିନ ପୂର୍ବେ ହାର୍ଦ୍ଦିକ ପଟେଲ ହାଇକୋର୍ଟରେ ଅନୁରୋଧ କରିଥିଲେ ଯେ, ଲୋକସଭା ନିର୍ବାଚନ ଲଢିବା ପାଇଁ ତାଙ୍କୁ ଆଶ୍ଵସ୍ତି ଦିଆଯାଉ।
ଗତ ବର୍ଷ ଜୁଲାଇରେ ଗୁଜରାତର ଏକ ଅଦାଲତ ବିଜେପି ବିଧାୟକଙ୍କ ଦପ୍ତର ଉପରେ ହମଲା କରିବା ଆରୋପରେ ହାର୍ଦ୍ଦିକ ପଟେଲ ଏବଂ ତାଙ୍କର ଦୁଇ ଜଣ ଅନ୍ୟ ସାଥୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ପଟେଲ ଓ ତାଙ୍କ ଦୁଇ ସାଥୀଙ୍କୁକ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବ୍ୟତୀତ ୫୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଥିଲେ।
ଉଲ୍ଲେଖଯୋଗ୍ୟ, ମେହସାଣାର ବିସନଗରରେ ୨୦୧୫ ଜୁଲାଇ ୨୩ରେ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା। ଏହି ମାମଲାରେ ହାର୍ଦ୍ଦିକ ପଟେଲ ଏବଂ ତାଙ୍କର ଦୁଇ ସାଥୀ ଏକେ ପଟେଲ ଓ ଲାଲଜୀ ପଟେଙ୍କ ଉପରେ ଆରୋପ ଲାଗିଥିଲା। ମେହସାଣା ଜିଲ୍ଲା ଅଦାଲତ ୨୦୧୫ରେ ଏହି ତିନି ଜଣଙ୍କ ବିରୋଧରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି କରିଥିଲେ। ହାର୍ଦ୍ଦିକ ପଟେଲଙ୍କ ନେତୃତ୍ଵରେ ହୋଇଥିବା ପାଟିଦାର ଆନ୍ଦୋଳନ ସମୟରେ ବିଜେପି ବିଧାୟକଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରାଯାଇଥିଲା।