ୟୁପିରେ ମାୟାବତୀ – ଅଖିଳେଶଙ୍କ ମଧ୍ୟରେ ସିଟ୍ ବଣ୍ଟନ, ଏସପି ୩୭ ଓ ବିଏସପି ୩୮ ସିଟ୍

0

ଲକ୍ଷ୍ନୌ,୨୧/୨: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସିଟ୍ ଘୋଷଣା କରିଛନ୍ତି। ଏହି ଦୁଇ ପାର୍ଟି ପ୍ରାୟତଃ ଅଧା-ଅଧା ସିଟରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ବାକି ସିଟ୍ ସହଯୋଗୀ ଦଳ ପାଇଁ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ୮୦ ଲୋକସଭା ସିଟ୍ ପାଇଁ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଛି।

ଜାରି ହୋଇଥିବା ତାଲିକା ଅନୁସାରେ ସମାଜବାଦୀ ପାର୍ଟି ୩୭ ଓ ବହୁଜନ ସମାଜବାଦ ପାର୍ଟି ୩୮ ସିଟରେ ନିର୍ବାଚନ ଲଢିବେ। ଉଲ୍ଲେଖନୀୟ ୮୦ ସିଟ୍ ମଧ୍ୟରୁ ଦୁଇଟି ସିଟ୍ ଆମେଠି ଓ ରାୟବରେଲୀକୁ କଂଗ୍ରେସ ପାଇଁ ଛାଡ଼ି ଦିଆଯାଇଛି। ଏହା ସହିତ ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି)କୁ ତିନୋଟି ସିଟ୍ ଦିଆଯାଇଛି। ଆରଏଲଡିକୁ ତାର ପରମ୍ପରାଗତ ମଥୁରା, ବାଗପତ ଓ ମୁଜଫରନଗର ସିଟ୍ ମିଳିଛି। ପଶ୍ଚିମ ଉତ୍ତର ପ୍ରଦେଶର ଅଧିକାଂଶ ସିଟ୍ ଏସପି ଏବଂ ପୂର୍ବ ୟୁପିର ଅଧିକାଂଶ ସିଟ୍ ବିଏସପି ଖାତାକୁ ଯାଇଛି।

ଏସପି-ବିଏସପି ମଧ୍ୟରେ ହୋଇଥିବା ସିଟ୍ ବଣ୍ଟନରେ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ସିଟରେ ବିଏସପିର ପ୍ରାଧ୍ୟାନ୍ୟ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ୟୁପିର ୮୦ ସିଟରୁ ୧୭ ସିଟ୍ ଏମିତି ରହିଛି, ଯାହା ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିରୁ ବିଏସପି ହାତକୁ ୧୦ ଓ ଏସପି ଖାତାକୁ ୭ ସିଟ୍ ଯାଇଛି। ଏହା ବ୍ୟତୀତ ୨୦୧୪ରେ ଯେଉଁ ପାଞ୍ଚ ଲୋକସଭା ସିଟରେ ସମାଜବାଦୀ ପାର୍ଟି ବିଜୟୀ ହୋଇଥିଲା, ସେସବୁ ଏସପି ଭାଗକୁ ଆସିଛି।

ରାଜ୍ୟର ତିନୋଟି ସିଟ୍ କୈରାନା, ଗୋରଖପୁର ଓ ଫୁଲପୁରରେ ଗତ ଦିନରେ ହୋଇଥିବା ଉପ ନିର୍ବାଚନରେ ଏସପି-ବିଏସପି ମେଣ୍ଟ ବିଜୟୀ ହୋଇଥିଲା। କୈରାନାରେ ସପା ପାର୍ଟିର ଟିକେଟରେ ଆରଏଲଡି ପ୍ରାର୍ଥୀ ଲଢିଥିଲେ। ଅନ୍ୟ ପଟେ ଗୋରଖପୁରରେ ନିଷାଦ ପାର୍ଟିର ପ୍ରବୀଣ ନିଷାଦ ଏସପି ଟିକେଟରେ ନିର୍ବାଚନକୁ ଓହ୍ଲାଇଥିଲେ। ଏହି ତିନୋଟି ସିଟରେ ଏସପି ବିଏସପି ସମର୍ଥନରେ ବିଜୟୀ ହୋଇଥିଲା।

Leave A Reply

Your email address will not be published.