ନୂଆଦିଲ୍ଲୀ, ୨୯/୧୦ : ଦିଲ୍ଲୀ ପୋଲିସର ଏସିପି ଅଧିକାରୀ ଜଣେ ଗୁରୁବାର ଦିଲ୍ଲୀ ସ୍ଥିତ ପୋଲିସ ମୁଖ୍ୟାଳୟର ୧୦ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହେଲା ନାହିଁ । ଏହି ଏସିପି ଜଣକ ୫୫ ବର୍ଷିୟ ପ୍ରେମ ବଲ୍ଲଭ ବୋଲି ସୂଚନା ମିଳିଛି । ସେ ଉତ୍ତର-ପୂର୍ବ ଦିଲ୍ଲୀର ମୌଜପୁର ଅଞ୍ଚଳରେ ରହୁଥିଲେ । ଦିଲ୍ଲୀ ପୁଲିସର କ୍ରାଇମ ଓ ଟ୍ରାଫିକ୍ ୟୁନିଟ୍ରେ ସେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ପ୍ରେମ ବଲ୍ଲଭ କ୍ରାଇମବ୍ରାଞ୍ଚର ସ୍ପେଶାଲ ସେଲ ଓ ଅନ୍ୟ ବିଭାଗରେ ନିୟୋଜିତ ଥିଲେ । ୬ମାସ ପୂର୍ବରୁ ଏସିପି ପ୍ରେମ ବଲ୍ଲଭକୁ ପୋଲିସ ମେଡଲରେ ସମ୍ମାନୀତ କରାଯାଇଥିଲା । ଡିପ୍ରେସନରେ ରହୁଥିବା କାରଣରୁ ଦୀର୍ଘ କିଛି ଦିନ ହେବ ସେ ଜିଟିବି ଅସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ସୁଚନା ମିଳିଛି ।