୧୭ ଜିଲ୍ଲାରେ ୯% କମ ବର୍ଷା, ମରୁଡ଼ି ଆଶଙ୍କାରେ ଚାଷୀ

0

ଭୁବନେଶ୍ଵର,୩୧/୭: ଧୋକା ଦେଲା ମୌସୁମୀ। ଫଳରେ ରାଜ୍ୟରେ ମରୁଡି ସ୍ଥିତି ଉପୁଜିଛି। ଯେଉଁ ସମୟରେ ତଳି ପକାଇବା ଏବଂ ବେଉଷଣ ପାଇଁ ଫୁରସତ ମିଳେ ନାହିଁ ସେଠାରେ ଆଷାଢ ଯାଇ ଶ୍ରାବଣ ହେଲା ବର୍ଷାର ଦେଖା ନାହିଁ। ବର୍ଷା ଅଭାବରୁ ଏବେ ଚାଷୀଙ୍କୁ ହାତ ବାନ୍ଧି ବସିବାକୁ ପଡ଼ିଛି। ଜମି ଫାଟି ଆଁ କଲାଣି। ଜୁଲାଇ ମାସରେ ୧୭ ଜିଲ୍ଲାରେ ସ୍ଵାଭାବିକଠୁ ୯ ପ୍ରତିଶତ କମ ବର୍ଷା ହୋଇଥିବା ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ବର୍ଷା ହୋଇଛି।

ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ମୁତାବକ, ରାଜ୍ୟର ୧୭ଟି ଜିଲ୍ଲାରେ ସ୍ଵାଭାବିକଠୁ ୯ ପ୍ରତିଶତ କମ୍ ବର୍ଷା ହୋଇଛି। ଝାରସୁଗୁଡ଼ା, ନୟାଗଡ଼, ଢେଙ୍କାନାଳ, ନୂଆପଡ଼ା, ଯାଜପୁର, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସମ୍ଵଲପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଗଜପତି, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରେ କମ୍ ବର୍ଷା ହୋଇଛି। ଫଳରେ ଏହି ସବୁ ଜିଲ୍ଲାରେ ମରୁଡ଼ି ଆଶଙ୍କା ଦେଖା ଦେଇଛି। ମାତ୍ର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ବର୍ଷା ହୋଇଛି।

ଧାନ ରୁଆ ପରେ ତଳିକୁ ଯେତିକି ପରିମାଣର ବର୍ଷା ଆବଶ୍ୟକତ ସେତିକି ବି ବର୍ଷା ହୋଇ ନାହିଁ। ଜମିରେ ଧାନ ମଞ୍ଜି ମରିବାକୁ ବସିଛି। ବିଲରେ ଗୋରୁ ଚରିଲେଣି। ଯଦି ଏହି କିଛି ଦିନ ମଧ୍ୟରେ ବର୍ଷା ନହୁଏ ତେବେ ଧାନ ଗଜା ମରିବାର ଆଶଙ୍କା ଅଧିକ ରହିଛି। ଯାହା ଚାଷୀ କୂଳକୁ ଶକ୍ତ ଧକା ସଦୃଶ ହୋଇଛି।

ଅନ୍ୟ ପଟେ ମୌସୁମିଜନିତ ବର୍ଷା ଅଭାବରୁ ନଦୀ, ନାଳ, ବ୍ୟାରେଜରେ ଜଳ ପ୍ରବାହ ଆଶାନୁରୂପ ହୋଇନି। ଆଷାଢ ଯାଇ ଶ୍ରାବଣ ହେଲା ନଦୀ ଶୁଖିଲା ପଡ଼ିଛି। ଚାଷୀ ଚିନ୍ତାରେ ବସିଛି। ରାଜ୍ୟର କିଛି ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଖବର ମଧ୍ୟ ପହଞ୍ଚିଛି।

Leave A Reply

Your email address will not be published.