ଭୁବନେଶ୍ୱର, ୭/୨: ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ଏଥିରେ ପୁଞ୍ଜି ଖର୍ଚ୍ଚ ୨୩ ହଜାର ୭ଶହ ୮୪ କୋଟି ଟଙ୍କା ଆକଳନ କରାଯାଇଛି। ଯାହାକି ସମଗ୍ରୀକ ଘରୋଇ ଉତ୍ପାଦର ୪.୪ ପ୍ରତିଶତ। ନିର୍ବାଚନ ଥିବାରୁ ରାଜ୍ୟ ସରକାର ଆସନ୍ତା ୪ମାସ ପାଇଁ ୫୬ ହଜାର ୯୨୧ କୋଟି ଟଙ୍କାର ଲେଖା ଅନୁଦାନ ଆଗତ କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ୧ ଲକ୍ଷ ୧୦ ହଜାର ୭୧୦ କୋଟି ଟଙ୍କା ରାଜସ୍ବ ପାଇବେ ବୋଲି ଆକଳନ କରିଥିବା ବେଳେ ୧ ଲକ୍ଷ ୨ ହଜାର ୨୨୭ କୋଟି ବ୍ୟୟବରାଦ କରାଯାଇଛି। ରାଜସ୍ବ ବଳକା ୮ ହଜାର ୪୩୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଯାହାକି ସାମଗ୍ରିକ ଘରୋଇ ଉତ୍ପାଦର ୧.୬ ପ୍ରତିଶତ। ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୧୬ ହଜାର ୧୯୩ କୋଟି ତଥା ସାମଗ୍ରିକ ଘରୋଇ ଉତ୍ପାଦର ୩ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଗୁରୁବାର ଅପରାହ୍ନରେ ଏହି ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ବଜେଟ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ କରାଯାଇଛି। ୨୦୧୮-୧୯ରେ ଜାତୀୟ ଅଭିବୃଦ୍ଧି ହାର ଶତକଡା ୭.୨ ଅତିକ୍ରମ କରି ୮.୩୫ ହାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଗତ ୬ ବର୍ଷର ଜାତୀୟ ଆର୍ଥିକ ଅଭିବୃଦ୍ଧି ହାର ହାରାହାରି ୭.୧ ପ୍ରତିଶତ ରହିଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୮ ପ୍ରତିଶତଠାରୁ ଅଧିକ ରହିିଛି। ବିଶ୍ୱ ଓ ରାଷ୍ଟ୍ରୀୟ ଅର୍ଥନୀତି ଅଭିବୃଦ୍ଧି ହାର ଏହି ଧାରା ଅବ୍ୟାହତ ରହିଲେ ରାଜ୍ୟ ଅର୍ଥନୀତି ଆସନ୍ତା ଆର୍ଥିକ ବର୍ଷରେ ୮ରୁ ୮.୫ ପ୍ରତିଶତକୁ ବୃଦ୍ଧି ହେବ ବୋଲି ଅନୁମାନ କରାଯାଇଛି। ଆସନ୍ତା ବଜେଟରେ କୃଷି, ଖାଦ୍ୟ ନିରାପତ୍ତା, ସାମାଜିକ ନିରାପତ୍ତା, ସ୍ବାସ୍ଥ୍ୟ, ମହିଳା ଶସକ୍ତିକରଣ, ଜନଜାତି ବିକାଶ, ଯୁବଗୋଷ୍ଠୀଙ୍କ ପାଇଁ କାର୍ଯ୍ୟକ୍ରମ, ଶିକ୍ଷା, କୁଶଳୀ ଓଡ଼ିଶା, କ୍ରୀଡ଼ା, ଜଳସେଚନ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି।
କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୫ଟି କୃଷି ଋତୁ ପାଇଁ ପରିବାର ପିଛା ୨୫ ହଜାର ଟଙ୍କାର ଅନୁଦାନ ଦିଆଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ। ଆସନ୍ତା ଆର୍ଥିକ ବର୍ଷରେ ଦରମା ବାବଦରେ ୨୫ ହଜାର ୫ ଶହ କୋଟି, ପେନ୍ସନ୍ ୧୩ ହଜାର ୩ଶହ କୋଟି, ସୁଧଦେୟ ବାବଦରେ ୬ହଜାର ୫ଶହ କୋଟି ଏବଂ ପୁଞ୍ଜି ପରିଚାଳନା ପାଇଁ ୪ ହଜାର ୮ଶହ ୮୦ କୋଟି ଟଙ୍କା ମିଶାଇ ମୋଟ ପ୍ରଶାସନିକ ବ୍ୟୟ ୫୮ ହଜାର ୧୭୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ୭୦ ହଜାର କୋଟି ଖର୍ଚ୍ଚ ହେବ। ଏଥିରେ ସରକାରୀ କ୍ଷେତ୍ର ଓ ସରକାରୀ ଉଦ୍ୟେଗ ପାଇଁ ଯଥାକ୍ରମେ ୬୬ ହଜାର କୋଟି ଓ ୪ ହଜାର କୋଟି ଟଙ୍କା ବ୍ୟୟ ହେବ। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ଛଡ଼ା ରାଜ୍ୟ ଅର୍ଥରୁ ପୌର ସଂସ୍ଥା ଏବଂ ଉନ୍ନୟନ ସଂସ୍ଥାଗୁଡିକୁ ୬ହଜାର ୪୯୦ କୋଟି ଟଙ୍କା ପ୍ରଦାନ କରାଯିବ।