ଭୁବନେଶ୍ୱର,୧୩/ ୭: ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ କଲେଜରେ ନାମଲେଖା ପାଇଁ ଶନିବାର +୨ୟ ପର୍ଯ୍ୟାୟରେ କଟ୍-ଅପ୍ ମାର୍କ ତାଲିକା ପ୍ରକାଶ ପାଇଛି। ସାମସ୍ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ ୨ୟ ପର୍ଯ୍ୟାୟ କଟ୍ ଅପ୍ ମାର୍କ ତାଲିକାର କଳା ବିଷୟରେ ଭୁବନେଶ୍ୱରର ବିଜେବି ଜୁନିଅର କଲେଜରେ ସାଧାରଣ ବର୍ଗ ପାଇଁ ୭୦.୪ ପ୍ରତିଶତ, ଅନୁସୂଚିତ ଜାତି ବର୍ଗ ପାଇଁ ୬୦.୩୩ ପ୍ରତିଶତ ଓ ଅନୁସୂଚିତ ଜନଜାତି ବର୍ଗ ପାଇଁ ୫୦ ପ୍ରତିଶତ ରହିଛି।
ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନ ବିଷୟରେ ଶୀଷରେ ରେଭେନ୍ସା ଜୁନିଅର କଲେଜ ରହିଛି। ଏଠାରେ ସାଧାରଣ ବର୍ଗଙ୍କ ପାଇଁ ୮୯.୨ ପ୍ରତିଶତ, ଅନୁସୂଚିତ ଜାତି ବର୍ଗ ପାଇଁ ୭୮.୩୩ ପ୍ରତିଶତ ଓ ଅନୁସୂଚିତ ଜନଜାତି ବର୍ଗ ପାଇଁ ୬୦.୫ ପ୍ରତିଶତ ରହିଛି। ଏହି ପର୍ଯ୍ୟାୟରେ ବାଣିଜ୍ୟ ବିଷୟରେ ଅନୁଗୁଳ ଜିଲ୍ଲାର ତାଳଚେର ଜୁନିଅର କଲେଜ ରହିଛି। ଏଠାରେ ସାଧାରଣ ବର୍ଗ ପାଇଁ କଟ୍-ଅପ୍ ମାର୍କ ୭୫.୮୩ ପ୍ରତିଶତ ରହିଛି।
ଦ୍ଵିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୫ରୁ ୧୭ମଧ୍ୟରେ ଅନୁଷ୍ଠିତ ହେବ। ୧୭ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍ରେ ବାହାରିବ। ଜୁଲାଇ ୨୦ରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖା କରାଯିବ। ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୩ ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୩ ହଜାର ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ଲାଗି ଚୟନ କରାଯାଇଥିଲା। କଳା ବିଭାଗରେ ୨ ଲକ୍ଷ ୧୯ ହଜାର ୧୦ଜଣଙ୍କୁ ନାମଲେଖା ପାଇଁ ଡକାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୩ ହଜାର ୮୪ଜଣ ନାମ ଲେଖାଇଛନ୍ତି। ବିଜ୍ଞାନ ବିଭାଗରେ ଡକାଯାଇଥିବା ୮୧ ହଜାର ୧୯୭ ଜଣଙ୍କ ମଧ୍ୟରୁ ୭୫ ହଜାର ୨୫୮, ବାଣିଜ୍ୟ ବିଭାଗରେ ୨୨ ହଜାର ୩୭୫ ପିଲାଙ୍କ ମଧ୍ୟରୁ ୨୦ ହଜାର ୬୧୭, ସଂସ୍କୃତରେ ୬ ହଜାର ୩୧୯ଜଣଙ୍କ ମଧ୍ୟରୁ ୫ ହଜାର ୨୯୯ ଓ ଧନ୍ଦାମୂଳକରେ ଡକାଯାଇଥିବା ୪ ହଜାର ୬୯୦ ଜଣଙ୍କ ମଧ୍ୟରୁ ୪ହଜାର ୩୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ରାଜ୍ୟର ୧୯୮୪ କଲେଜର ୫ଟି ବିଭାଗରେ ମୋଟ ୪ ଲକ୍ଷ ୪୮ ହଜାର ୧୯୫ ସିଟ୍ ରହିଛି। ସେଥିମଧ୍ୟରୁ ୨ଲକ୍ଷ ୯୮ ହଜାର ୨୯୩ ସିଟ୍ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୪୯ ହଜାର ୯୦୨ ସିଟ୍ ଖାଲି ରହିଥିବା ସୂଚନା ମିଳିଛି।