ନୂଆଦିଲ୍ଲୀ, ୧୭/୧୨ : ୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ଘଟଣା ସହିତ ଜଡ଼ିତ ଏକ ମାମଲାରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୩୪ ବର୍ଷ ପରେ ଆଜି ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅପରାଧିକ ଷଡ଼ଜନ୍ତ୍ର ରଚିବା, ଅନ୍ୟମାନଙ୍କ ଦ୍ୱାରା ହିଂସା ଘଟାଇବା ଓ ଦଙ୍ଗା ପାଇଁ ଉସୁକାଇବା ନେଇ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଡିସେମ୍ବର ୩୧ ସୁଦ୍ଧା ସରେଣ୍ଡର ହେବାକୁ ସଜ୍ଜନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୧୯୮୪ ମସିହା ନଭେମ୍ବରରେ ଦିଲ୍ଲୀସ୍ଥିତ ଛାବନୀର ରାଜନଗର ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ କଂଗ୍ରେସ ନେତା ସଜ୍ଜନ କୁମାର ଅଭିଯୁକ୍ତ ଥିଲେ। ଘଟଣାର ୩୪ ବର୍ଷ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।