୪ ରାଜ୍ୟରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା : ଓଡ଼ିିଶାର ବିଜେପୁର ଆସନକୁ ନେଇ ଚର୍ଚ୍ଚା

0

ଭୁବନେଶ୍ୱର,୨୭/୮: ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ଆସନ୍ତା ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଏନେଇ ଗତ ରବିବାର ଘୋଷଣା କରିବାପରେ ଓଡ଼ିିଶାର ବିଜେପୁର ଆସନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଘୋଷଣା ହୋଇଥିବା ୪ଟି ରାଜ୍ୟରେ ଉପନିର୍ବାଚନ ପାଇଁ ଆସନ୍ତା ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ସେପ୍ଟେମ୍ବର ୨୮ରେ ଭୋଟ ଗଣତି କରାଯିବ। ୪ଟି ରାଜ୍ୟ ପାଇଁ ତାରିଖ ଘୋଷଣା କରାଯାଇଥିବା ବେଳେ ଓଡ଼ିଶାର ଗୋଟିଏ ଆସନ ପାଇଁ କୌଣସି ମୁହୂର୍ତ୍ତରେ କରାଯାଇପାରେ ବୋଲି ରାଜନୈତିକ ଦଳଗୁଡିକ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏଥର ବିଜେପୁର ଆସନରେ ହେବାକୁ ଥିବା ନିର୍ବାଚନ ରାଜ୍ୟର ପ୍ରମୁଖ ଦଳଗୁଡିକ ପାଇଁ ସମ୍ମାନର ପ୍ରସଙ୍ଗ ଅଟେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖିବା ଆରମ୍ଭ କରିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ। ସେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳି ଏବଂ ପଶ୍ଚିମଓଡ଼ିଶାର ବିଜେପୁରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ତେବେ ଦୁଇଟି ଆସନରୁ ବିଜୟୀ ହେବାପରେ ନବୀନ ଗତ ଜୁନ୍‌ ୨ ତାରିଖ (ରବିବାର) ଦିନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ନିୟମାନୁଯାୟୀ ଏହି ଆସନରେ ୬ ମାସ ମଧ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଅର୍ଥାତ୍‌ ଡିସେମ୍ବର ୨ ସୁଦ୍ଧା ଉପନିର୍ବାଚନ କରାଯିବ। ଏହାର ୪୫ ଦିନ ପୂର୍ବରୁ ଏଥିପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିପାରିବେ। ଏଥିପାଇଁ ଆହୁରି ୩ ମାସ ରହିଛି, ତେଣୁ ବର୍ତ୍ତମାନ ଉପନିର୍ବାଚନ ତାରିଖ ଘୋଷଣା ନ ହେବା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.