ମେରଠ,୨୧/୪: ପୂରା ବିଶ୍ୱ କରୋନା ଭାଇରସ ପାଇଁ ଅତିଷ୍ଠ ହୋଇଥିବା ବେଳେ ମର୍ଚେଣ୍ଟ ନେଭିରେ ଦୀର୍ଘ ୧୫ ବର୍ଷ ହେବ କ୍ୟାପଟେନ ଭାବେ କାର୍ଯ୍ୟରତ ଅଶ୍ୱିନୀ ଗର୍ଗ ୫ ଥର ପଜିଟିଭ ଚିହ୍ନଟ ହେବା ପରେ କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି । ଜର୍ମାନୀର ରହୁଥିବା ନିଜର ଭାଇଙ୍କ ପରାମର୍ଶରେ ସେ ଟେକିନିକ ଉପରେ ଆଧାରିତ ଯୋଗ ଓ ପ୍ରାଣାୟାମ କରିଥିଲେ । ଅଶ୍ୱିନୀ ଗଣମାଧ୍ୟମକୁ କହିଛନ୍ତି, ଯୋଗ ଓ ପ୍ରାଣାୟମ ବଳରେ କରୋନା ଯୁଦ୍ଧରେ ବିଜୟୀ ହୋଇଛି । ଶୁକ୍ରବାର ରାତି ସେ ଉତ୍ତର ପ୍ରଦେଶର ମେରଠ ମେଡିକାଲ କଲେଜରୁ ଡିସଚାର୍ଜ ହୋଇଥିଲେ ।
ଅଶ୍ୱିନୀ କହିଛନ୍ତି, ବରିଷ୍ଠ ଯୋଗ ଗୁରୁ ଧୀରଜଙ୍କ ଆସନ ପ୍ରାଣାୟମର ଭିଡିଓ ତାଙ୍କର ଭାଇ ଜର୍ମାନୀରୁ ପଠାଇଥିଲେ । ଏହାରି ମଧ୍ୟରେ ସେ ୩ ଥର କରୋନା ପଜିଟିଭ ଚିହ୍ନଟ ହୋଇସାରିଥିଲେ । ଭାଇଙ୍କ ପରାମର୍ଶରେ ସେ ଏପ୍ରିଲ ୯ରେ ଯୋଗ ଆରମ୍ଭ କରିଥିଲେ । ସେ କହିଛନ୍ତି ପ୍ରାଣାୟମ କରିବା ତାଙ୍କୁ ଅଧିକ ଲାଭ ପହଞ୍ଚାଇଛି ।
ସେହିଭଳି ଅନୁଲୋମ ବିଲୋମ, ଭ୍ରାମରୀ ଓ ଉଜ୍ଜୟଙ୍କଳର ମିଶାଇ ପ୍ରାଣାୟମ କରିଥିଲେ ଅଶ୍ୱିନୀ । ଏହା ଦ୍ୱାରା ତାଙ୍କର ପ୍ରଶ୍ୱାସ ନେବାର କ୍ଷମତା ବଢ଼ିଥିଲା । ପ୍ରାଣାୟାମ ଶରୀରକୁ ବିଶ୍ରାମ ଦେଇଥାଏ । ହସ୍ପିଟାଲରେ ଚିକିତ୍ସା ଜାରି ଥିବା ବେଳେ ସେ ଦିନକୁ ଅତିକମରେ ୩ ଘଣ୍ଟା ଯୋଗ ଓ ପ୍ରାଣାୟାମ କରୁଥିଲେ । ଏପ୍ରିଲ ୧୨ରେ ମଧ୍ୟ କରୋନା ଚିହ୍ନଟ ହୋଇଥିଲେ କିନ୍ତୁ ୧୫ ତାରିଖରେ ତାଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିଥିଲା । ଏହା ପରେ ସେ ମାନସିକ ଭାବେ ମଜବୁତ ହୋଇଯାଇଥିଲେ ।