ଡେରାଡୁନ୍, ୧୦/୧୨: ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳର ପାଖାପାଖି ୭୦୦ରୁ ଊର୍ଦ୍ଧ୍ୱ ଗାଁର ଲୋକେ କାମଧନ୍ଦା ଅନ୍ବେଷଣରେ ଅନ୍ୟତ୍ର ପଳାୟନ କରୁଥିବାରୁ ୭ବର୍ଷ ମଧ୍ୟରେ ଏହି ଗାଁଗୁଡିକ ଜନଶୂନ୍ୟ ହୋଇଗଲାଣି। ଉତ୍ତରାଖଣ୍ଡର ପାଖାପାଖି ୧୬,୫୦୦ ଗ୍ରାମ ମଧ୍ୟରୁ ପାହାଡ ପର୍ବତ ପାଦଦେଶରେ ଥିବା ୭୩୪ଟି ଗାଁ ଏବେ ସମ୍ପୂର୍ଣ୍ଣ ଜନଶୂନ୍ୟ। ଜଣେ ଲୋକ ବି ବାସ କରୁ ନ ଥିବା ଉତ୍ତରାଖଣ୍ଡ ରୁରାଲ ଡେଭଲପମେଣ୍ଟ ଆଣ୍ଡ ମାଇଗ୍ରେଶନ୍ କମିଶନ୍ର ଭାଇସ୍ ପ୍ରେସିଡେଣ୍ଟ ଏସ୍.ଏସ୍. ନେଗି ପ୍ରକାଶ କରିଛନ୍ତି।
ଗାଁ ଗୁଡିକରେ ଘରଦ୍ୱାର ନଷ୍ଟ ହୋଇଯିବା ସହିତ ଆଣ୍ଠୁଏ ପର୍ଯ୍ୟନ୍ତ ଅନାବନା ଘାସ ଉଠିଗଲାଣି। ପାଉରି ଜିଲାର ୨୯୮ ଗଁା ମଧ୍ୟରୁ ୧୮୬ ଗାଁ ଜନଶୂନ୍ୟ। କମିଶନ୍ଙ୍କ ଦ୍ୱାରା ଏ ସମ୍ପର୍କରେ ସଦ୍ୟ ପ୍ରସ୍ତୁତ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ପ୍ରବାସନ ଯୋଗୁ ପାଉରି ଜିଲା ଅଧିକ ଜନଶୂନ୍ୟ ହୋଇଥିବା ବେଳେ ଏହା ପଛକୁ ରହିଛି ଆଲ୍ମୋରା। ତେବେ ଏହି ସ୍ଥିତି ଅତ୍ୟନ୍ତ ଗମ୍ଭୀର ଦର୍ଶାଇ ଭାଇସ୍ ପ୍ରେସିଡେଣ୍ଟ କହିଲେ, ପାର୍ବତ୍ୟାଞ୍ଚଳର ବିକାଶ ହେଉ ନ ଥିବାରୁ କାମଧନ୍ଦା ଅନ୍ବେଷଣରେ ଅନ୍ୟତ୍ର ପଳାୟନ ଏଠାରେ ଏକ ସାଧାରଣ ସମସ୍ୟା।