ଭୁବନେଶ୍ୱର, ୨୬/୫: କରୋନା ମୁକାବିଲା ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବଙ୍କ ସହ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ୧୫ ଦିନରୁ ୧ ମାସ ଆମ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ।
ଦେଶରେ ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ।ଏହା ସହ ବିମାନ ଓ ରେଳ ଚାଲିବା ପରେ ଆମକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ସମୟରେ ଆମକୁ କରୋନା ମୁକାବିଲା କରିବାକୁ ପଡ଼ିବ । ଦେଶର କରୋନା ପରୀକ୍ଷଣରେ ଅଗ୍ରଣୀ ରାଜ୍ୟ ହେଉଛି ଓଡ଼ିଶା ।
ଦୁଇମାସର ଲକଡାଉନ ମଧ୍ୟରେ ଆମକୁ ବହୁତ୍ କିଛି ଶିଖିବାକୁ ମିଳିଛି । ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ସ୍ତରରେ ଅନେକ ଶିକ୍ଷା ମିଳିଛି । ଏହାକୁ ଆଧାର କରି ଆଗକୁ କାର୍ଯ୍ୟ କରିବାକୁ ପଡ଼ିବ । ଫଳରେ ଅର୍ଥନୈତିକ, ଜୀବିକା କାର୍ଯ୍ୟକଳାପ ସ୍ୱାଭାବିକ ହୋଇପାରିବ । ସଙ୍ଗରୋଧ ପାଇଁ ଆଗକୁ ସାର୍ଟିଫିକେସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଆଗକୁ ସଚେତନତା ପାଇଁ ଆହୁରି ପଦକ୍ଷେପ ନିଆଯିବ ।