କାର୍ଯ୍ୟରେ ଅବହେଳା ଅଭିଯୋଗ ପାଇଁ ୧୦ ଶିକ୍ଷକ ବହିଷ୍କୃତ

0

ବାଲିମେଳା: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ବ୍ୟୟ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଅବ୍ୟବସ୍ଥା ଭିତରେ ଗତି କରୁଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନେ ଦୀର୍ଘଦିନ ଧରି ବିଦ୍ୟାଳୟକୁ ଆସୁନଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ୧୦ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଦୀର୍ଘ ଦୁଇବର୍ଷରୁ ଊଦ୍ଧ୍ୱର୍ ହେବ ସେମାନେ ସ୍କୁଲରୁ ଅନୁପସ୍ଥିତ ରହିଥିଲେ । ଏକଥା ଜଣାପଡ଼ିବା ପରେ ମାସେ ତଳେ ଜିଲ୍ଲା ଶିକ୍ଷାଧିକାରୀ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ମାତ୍ର ନିର୍ଦ୍ଧାରିତ ସମୟରେ ସେମାନେ କୌଣସି ଉତ୍ତର ନଦେବାରୁ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।

ଚାକିରିରୁ ବହଷ୍କୃତ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ହେଲେ ମାଲକାନଗିରି ବ୍ଲକ୍ ଭିମାରାଙ୍ଗିଣୀ ୟୁପି ସ୍କୁଲ୍ର ରମେଶ ଚନ୍ଦ୍ର ନାୟକ, ବିଜାପଦର ୟୁପି ସ୍କୁଲର ଅରୁଣାରାଣୀ ବେହୁରିଆ, ଏମଭି-୧ ନୂତନ ପ୍ରାଥମିକ ବିଦ୍ୟାଳୟ ନିଳିମା ଜେନା, ରାଉଲିଗୁଡ଼ା ୟୁପି ସ୍କୁଲର ସନ୍ତୋଷ କୁମାର ସ୍ୱାଇଁ, ବିଜାପଦର ୟୁପି ସ୍କୁଲର ଯଶ୍ମିନୀ ଦାସ, ଏମ୍ଭି-୮୪ ପ୍ରାଥମିକ ସ୍କୁଲର ଦେବଶ୍ରୀ ବେହେରା, କାଲିମେଳା ବ୍ଲକ ଏଭ୍ଭି୯୦ ୟୁପି ସ୍କୁଲର ସାବିତ୍ରୀ ପାତ୍ର, ନାଲାଗୁଣ୍ଠି ୟୁପି ସ୍କୁଲର ଜ୍ୟୋତିର୍ମୟୀ ସୂତାର, ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟ ରଞ୍ଜନ କୁମାର ବେହେରା ଓ ମେଣ୍ଢପୁଲି ୟୁପି ସ୍କୁଲର ସସ୍ମିତା ସାହୁ ।

ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାର ବ୍ଲକ୍ ଶିକ୍ଷାଧିକାରୀମାନଙ୍କୁ ଲମ୍ବା ଛୁଟିରେ ଥିବା ଶିକ୍ଷକମାନଙ୍କ ତାଲିକା ମଗା ଯାଇଥିଲା । ୧୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମ ସାମିଲ ରହିଥିଲା । ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ ଗତ ଡିସେମ୍ବର ୨୭ ତାରିଖରେ ନବରଙ୍ଗପୁର ଜିଲ୍ଲାର ୨୪ ଶିକ୍ଷକଙ୍କୁ ଜିଲ୍ଲାପାଳ ଡ. କମଳଲୋଚନ ମିଶ୍ର ଏହି କାରଣରୁ ବହିଷ୍କାର କରିଥିଲେ । ଏହି ଶିକ୍ଷକମାନେ ବର୍ଷବର୍ଷ ଧରି ଅନୁପସ୍ଥିତ ରହିଥିଲେ ।

SBI AD
Leave A Reply

Your email address will not be published.