‘ମୋ ସ୍କୁଲ’ରେ ୧୬୧୦ ବିଦ୍ୟାଳୟ ସାମିଲ

ଭୁବନେଶ୍ବର,୧୪ /୧୧: ‘ମୋ ସ୍କୁଲ’ ପରିଚାଳନା ସଙ୍ଗଠନର ୧୮ତମ କାର୍ଯ୍ୟକାରୀ କାଉନ୍‌ସିଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ। ୨୫ ଜିଲାରେ ୧୬୧୦ ସ୍କୁଲର ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ରଛାତ୍ରୀ ୨ କୋଟି ୪୬ ଲକ୍ଷ ୯୦ ହଜାର ୨୦ ଟଙ୍କା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ଏହାର ଦୁଇଗୁଣ ଅର୍ଥ ୪ କୋଟି ୯୩ ଲକ୍ଷ ୮୦ ହଜାର ୪୦ ଟଙ୍କା ଅନୁମୋଦନ କରିଛନ୍ତି।

ଉଭୟ ପୁରାତନ ଛାତ୍ରଛାତ୍ରୀ ଓ ରାଜ୍ୟ ସରକାରଙ୍କ ଅନୁଦାନ ମିଶି ୭ କୋଟି ୪୦ ଲକ୍ଷ ୭୦ ହଜାର ୬୦ ଟଙ୍କା ବ୍ୟୟ ଅଟକଳରେ ସଂପୃକ୍ତ ବିଦ୍ୟାଳୟର ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗଜପତି, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବରଗଡ଼ ଭଳି ଜିଲାକୁ ଅନୁଦାନ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି। ଗଜପତି ଜିଲାରେ ସର୍ବାଧିକ ୫୬ ଲକ୍ଷରୁ ଅଧିକ ଟଙ୍କା ଦିଆଯାଇଛି।

ଏହି ବୈଠକରେ ‘ମୋ ସ୍କୁଲ’ ଅଭିଯାନ ସହିତ ଟାଟା ଟ୍ରଷ୍ଟ ସହିତ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲାର ମିଳିତ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ବିଦ୍ୟାଳୟରେ ପାଠାଗାର ଗଠନ ଉପରେ ଏବଂ ଶକ୍ଷିକଙ୍କର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ଆଲୋଚନା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦେଶ ଦେଇଛନ୍ତି। ବିଭାଗ ପକ୍ଷରୁ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରି ମାର୍ଚ୍ଚ ୨୦୨୧ ମସିହା ଭିତରେ ବିଦ୍ୟାଳୟର ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଯୋଡିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ‘ମୋ ସ୍କୁଲ’ ଅଭିଯାନର ଭାରପ୍ରାପ୍ତ ଅଧିକାରୀ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଉପସ୍ଥିତ ଥିଲେ।