ନୂଆଦିଲ୍ଲୀ,୫/୧ : ୨୦୨୪ ସୁଧା ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସୱେ କାମ ଶେଷ ହୋଇଯିବ। ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। ଏହି ପ୍ରୋଜେକ୍ଟର ୫୨ କିମିର ବେଙ୍ଗାଲୁରୁ-ମହୀଶୁର ଗ୍ରୀନଫିଲ୍ଡ ରୋଡ୍ ମଧ୍ୟ ରହିଛି। ଏହି ପ୍ରୋଜେକ୍ଟ ପାଇଁ ୯ ହଜାର କୋଟି ବ୍ୟୟବରାଦ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ଏକ ନୂଆ ଗ୍ରୀନଫିଲ୍ଡ ପ୍ରୋଜେକ୍ଟ ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସୱେ ପାଇଁ ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏବଂ ଏହା ୨୦୨୪ ସୁଧା ପ୍ରସ୍ତୁତ ହୋଇଯିବ।
ସାମ୍ବାଦିକଙ୍କୁ ସୂଚନା ଦେବା ପୂର୍ବରୁ ମନ୍ତ୍ରୀ ପ୍ରଥମେ ହେଲିକପ୍ଟରରେ ଉଡ଼ାଣ ଭରି ନିଜେ ରାସ୍ତାକାମର ତଦାରଖ କରିଥିଲେ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବେଙ୍ଗାଲୁରୁ- ମହୀଶୁର ପ୍ରୋଜେକ୍ଟ ୧୦ ଲାଇନ ବିଶିଷ୍ଟ ସଡ଼କ ହୋଇଥିବା ବେଳେ ସେଥିରୁ ଉଭୟ ପାର୍ଶ୍ୱରେ ଥିବା ୪ଟି ଗାଁ ଗହଳି ଓ ସ୍ଥାନୀୟ ବଜାରକୁ ଯୋଡ଼ିବ। ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଏ ରୋଡ୍ ରହିବ। ବାକି ୬ଟି ରାସ୍ତା ସିଧା ବେଙ୍ଗାଲୁରୁ-ଚେନ୍ନାଇକୁ ଯିବ। ଏହି କାମ ସରିଯିବା ପରେ ବେଙ୍ଗାଲୁରୁରୁ ମହୀଶୁର ଯାତ୍ରା ମାତ୍ର ୭୦ ମିନିଟ୍ ଲାଗିବ। ଏବେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ଯେ ସେ ଏହି ରାସ୍ତା ଦେଇ ସହର ବଜାରର କେତେ ବିକାଶ କରୁଛନ୍ତି।
ସେହିପରି ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସୱେ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏହା ୨୮୫.୩ କିମିର ୪ ଲେନ୍ ବିଶିଷ୍ଟ ରାସ୍ତା ହେବ। କର୍ଣ୍ଣାଟକର ଏହି ଭାରତମାଳା ପ୍ରୋଜେକ୍ଟ ୭୧.୭ କିମି ରାସ୍ତାର ମୂଲ୍ୟ ୫.୦୬୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରୋଜେକ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩୧ କିମି ରାସ୍ତା କାମ ନିର୍ମାଣାଧୀନ ଚାଲିଛି। ୨୦୨୪ ସୁଧା ଏହା ଶେଷ କରିବାକୁ ମନ୍ତ୍ରୀ କହିଛନ୍ତି।
