୨ ବର୍ଷ ପର୍ଯ୍ୟନ୍ତ ଆଇଆଇସି ମ୍ୟାଡାମ୍‌ଙ୍କୁ ଥାନା ମନା

କେନ୍ଦୁଝର, ୧୩/୧୧ : ଥାନା ଭିତରେ ଯୁବକଙ୍କୁ ଅଟକ ରଖି ଅତି ନିର୍ଦ୍ଦୟ ଭାବରେ ମାଡ ମାରିବା ମହିଳା ଆଇଆଇସିଙ୍କୁ ମହଙ୍ଗା ପଡିଛି। ଥାନା ହାଜତ ଭିତରେ ଜଣେ ଅଭିଯୁକ୍ତଙ୍କୁ ମାଡ ମାରିଥିଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନା । ଯାହାର ଭିଡିଓ ପରବର୍ତୀ ସମୟରେ ଭାଇରାଲ ହେବା ପରେ ଆଇଆଇସି ମ୍ୟାଡାମ୍‌ଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିଲା ।

ଉକ୍ତ ଘଟଣାରେ ଅଭିଯୁକ୍ତର ପରିବାର ଲୋକ ସଂଧ୍ୟାରାଣୀଙ୍କ ଏଭଳି ବ୍ୟବହାର ପାଇଁ ରାଜ୍ୟ ମାନବ ଅଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ଓଏଚଆରସି ବା ରାଜ୍ୟ ମାନବ ଅଧିକାର କମିଶନ୍ ମାମଲାର ରାୟ ଶୁଣାଇଛନ୍ତି ।

ଆସ୍ତନ୍ତା ୨ବର୍ଷ ଯାଏଁ ସଂଧ୍ୟାରାଣୀଙ୍କୁ ରାଜ୍ୟର କୌଣସି ବି ଥାନାରେ ଚାକିରୀ ଦିଆଯିବ ନାହିଁ ବୋଲି ରାଜ୍ୟ ମାନବ ଅଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଅଭିଯୁକ୍ତ ମାନଙ୍କୁ କିଭଳି ବ୍ୟବହାର କରାଯିବା ଉଚିତ୍ ବୋଲି ତାହା ଶିଖିବା ପାଇଁ ସଂଧ୍ୟାରାଣୀଙ୍କୁ ୨ବର୍ଷ ଯାଏ ଟ୍ରେନିଙ୍ଗ ଦିଆଯାଉ ବୋଲି ମଧ୍ୟ ନିର୍ଦ୍ଦେଶରେ ଉଲ୍ଲେଖ କମିଛନ୍ତି ଓଏଚଆରସି । ଏବେ ପୋଲିସ୍ ମ୍ୟାଡାମ୍‌ଙ୍କୁ ଥାନା ମନା ହେବା ସହିତ ୨ବର୍ଷ ଯାଏ ଯେମିତି କୌଣସି ବି ଫିଲ୍ଟ ଡ୍ୟୁଟି ମଧ୍ୟ ଦିଆନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ମାନବ ଅଧିକାର କମିଶନ ରାଜ୍ୟ ପୋଲିସ୍ ବିଭାଗକୁ ନୋଟିସ୍ କରିଛନ୍ତି ।