ସମ୍‌ରେ କୋଭାକ୍‌ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବଶୀଘ୍ର

ଭୁବନେଶ୍ୱର : ଭାରତ ବାୟୋଟେକ୍ ଓ କାଉନସିଲ ଫର ମେଡିକାଲ ରିସର୍ଚ (ଆଇସିଏମ୍‌ଆର)ର ମିଳିତ ସହଯୋଗରେ କୋଭିଡ-୧୯ ଟିକା କୋଭାକସିନ୍‌ର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସମ ହସ୍ପିଟାଲରେ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ‌ସ୍ବେଚ୍ଛାସେବୀଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନ ଥିବା ଆଇଏମ୍‌ଏସ୍ ସମ୍ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ପାଇଁ ପ୍ରସ୍ତୁତି ଜାରି ରହିଥିବା ପରୀକ୍ଷଣର ମୁଖ୍ୟ ପରୀକ୍ଷକ ଡା. ଇ.ଭେଙ୍କଟ ରାଓ କହିଛନ୍ତି। ଡା.ରାଓଙ୍କ ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ସ୍ୱେଚ୍ଛାସେବୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ ତାହା ଜାଣିବା ଲାଗି ରକ୍ତ ନମୁନା ସଂଗ୍ରହ କରାଯାଇଛି। ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ କରୋନା ବିରୋଧୀ ଲଢ଼େଇରେ ଏହା ପ୍ରମୁଖ ଅସ୍ତ୍ର ସାଜିବ ବୋଲି ଆଶା କରାଯାଉଛି।