ଦୁବାଇ,୨୫/୯: ଏସିଆ କପର ସୁପର ୪ରେ ନିଜର ଶେଷ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ଆଫଗାନିସ୍ତାନ। ମାତ୍ର ଦଳର ଦୁଇ ଅଧିନାୟକ ପଡ଼ିଆକୁ ଓହ୍ଲାଇଲେ ସମସ୍ତେ ଚକିତ ହୋଇ ପଡ଼ିଥିଲେ। ଆଫଗାନିସ୍ତାନ ଅଧିନାୟକ ଅଫଗାନଙ୍କ ସହିତ ଯେଉଁ ବ୍ୟକ୍ତି ଟସ୍ ପାଇଁ ପଡ଼ିଆକୁ ଆସିଥିଲେ ସେ ରୋହିତ ଶର୍ମା ନ ଥିଲେ । ଯେତେବେଳେ କ୍ୟାମେରାର ଫୋକସ୍ ପଡ଼ିଲା ସାମ୍ନାରେ ମହେନ୍ଦ୍ର ସିଂହ ଧୋନୀଙ୍କ ଚେହେରା ନଜର ଆସିଥିଲା । ଅର୍ଥାତ ପ୍ରାୟ ଦୁଇ ବର୍ଷ ପରେ ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି।
ଧୋନୀ ଶେଷ ଥର ୨୦୧୬ ଅକ୍ଟୋବର ୨୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶାଖାପାଟଣାରେ ଭାରତୀୟ ଦଳର ଅଧିନାୟକତ୍ଵ କରିଥିଲେ। ଅଧିନାୟକ ରୂପେ ଆଜି ହେଉଛି ଧୋନୀଙ୍କ ୨୦୦ ତମ ମ୍ୟାଚ୍। ଏହି ସଫଳତା ହାସଲ କରିବାରେ ସେ ଦୁନିଆର ତୃତୀୟ ଅଧିନାୟକ। ଏକଦିବସୀୟ କ୍ରିକେଟରେ ସବୁଠୁ ଅଧିକ ମ୍ୟାଚରେ ଅଧିନାୟକତ୍ଵ କରିଥିବାର ରେକର୍ଡ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ନାମରେ ରହିଛି। ପଣ୍ଟିଂ ୨୩୦ଟି ଦିନିକିଆରେ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ।
ଧୋନୀଙ୍କ ୧୯୯ ମ୍ୟାଚରୁ ଭାରତ ୧୧୦ଟିରେ ବିଜୟୀ ହୋଇଛି ଏବଂ ୭୪ଟି ମୁକାବିଲାରେ ପରାଜିତ ହୋଇଛି। ଚାରୋଟି ମ୍ୟାଚ୍ ଡ୍ର ରହିଛି ଓ ୧୧ଟି ଫଳାଫଳ ଶୂନ୍ୟ ରହିଛି। ଧୋନୀଙ୍କ ବିଜୟ ପ୍ରତିଶତ ହେଉଛି ୫୯.୫୭। ଯାହା ଭାରତୀୟ ଅଧିନାୟକ ରୂପେ ସବୁଠୁ ଭଲ ପ୍ରଦର୍ଶନ ।