ସରକାରୀ ବାବୁ-ଟିଟୋ ଲିଙ୍କ୍‌ର ଭିଜିଲାନ୍ସ ତନାଘନା , ୭ ଅଫିସରୁ କାଗଜପତ୍ର ଜବତ

0

କଟକ ଅଫିସ/ କେନ୍ଦ୍ରାପଡ଼ା ଅଫିସ/ ଚଣ୍ଡିଖୋଲ, ୨୬।୭ (ଡି.ଏନ୍‌.ଏ.) – ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ ଟିଟୋଙ୍କ ସହିତ ସରକାରୀ ବାବୁଙ୍କ ଲିଙ୍କ୍‌ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଛି ଭିଜିଲାନ୍ସ। ବୁଧବାର କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଭିଜିଲାନ୍ସ ସେଲ୍‌ ଡିଏସ୍‌ପି ପି.କେ. ନାୟକଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍‌ ଏହି ୩ ଜିଲାରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କ ଅଫିସ, ୨ ତହସିଲ ଅଫିସ୍‌ ସହିତ କେନ୍ଦ୍ରାପଡ଼ା ପୌର ପରିଷଦ ଓ ଭୂ-ନିବନ୍ଧନ କାର୍ଯ୍ୟାଳୟରେ ଖୋଳତାଡ଼ କରିଛି। ଏଥିସହ ସେଠାରୁ ଆବଶ୍ୟକ କାଗଜପତ୍ର ଜବତ କରିଛି।

ସରକାରୀ ବାବୁଙ୍କ ସହାୟତାରେ ଟିଟୋ ନିଜର ଆପରାଧିକ ଓ ଆର୍ଥିକ ସାମ୍ରାଜ୍ୟ ବଢାଇଥିଲେ। ଟିଟୋଙ୍କ ସହିତ ତାଙ୍କ ପରିବାରବର୍ଗ ଓ ସହଯୋଗୀ ବାଲିଘାଟ, ମୋରମ ଖାଦାନ, ଜମି ଓ ପେଟ୍ରୋଲ ପମ୍ପ ଆଦି ହାତେଇଥିଲେ। ସେହିଭଳି ଦାମୀ ଗାଡ଼ି କାର୍‌ ସହିତ ଟିଟୋଙ୍କ ସ୍ତ୍ରୀ ବେନାଜିର ବିବିଙ୍କ ମାଲିକାନାରେ ଥିବା ବେନାଜିର ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ୍‌ ନାଁରେ ଅନେକଗୁଡ଼ିଏ ଗାଡ଼ି ପଞ୍ଜୀକୃତ ହୋଇଛି। ଏହି ଗାଡ଼ିଗୁଡ଼ିକ କଟକ, ଚଣ୍ଡିଖୋଲ ଓ କେନ୍ଦ୍ରାପଡ଼ା ଆରଟିଓଙ୍କ କାର୍ଯ୍ୟାଳୟରେ ପଞ୍ଜୀକୃତ କରାଯାଇଛି। ଏହିସବୁ ଆର୍‌ଟିଓ ଅଫିସରେ କାହା ସହାୟତାରେ ଟିଟୋ ନିଜର ନେଟ୍‌ୱର୍କ ଚଳାଇଥିଲେ ତାହାର ତଥ୍ୟ ହାସଲ ପାଇଁ ଭିଜିଲାନ୍ସ ଉଦ୍ୟମ କରିଛି।

କଟକ ଆର୍‌ଟିଓ ଦିପ୍ତୀରଞ୍ଜନ ପାତ୍ର କହିଛନ୍ତି ଯେ, ଭିଜିଲାନ୍ସ ଟିମ୍‌କୁ ୧୦ରୁ ଊର୍ଦ୍ଧ୍ୱ ଗାଡି ସମ୍ପର୍କରେ ଜାଣିବା ଚାହିଁଥିଲେ। ଉକ୍ତ ଗାଡ଼ି କାହା ନାମରେ ପଞ୍ଜୀକୃତ ହୋଇଛି ଓ ନିୟମ ଉଲ୍ଲଂଘନ କରାଯାଇଛି କି ନାହିଁ ସେନେଇ ସେମାନେ କାଗଜପତ୍ର ସଂଗ୍ରହ କରିଥିଲେ। ସେହିପରି କେନ୍ଦ୍ରାପଡ଼ା ଆର୍‌ଟିଓ ଅଫିସ୍‌ରେ ଭିଜିଲାନ୍ସ ଅଧିକାରୀମାନେ ୨୬ ଗାଡ଼ି ଏବଂ ଚଣ୍ଡିଖୋଲ ଆର୍‌ଟିଓ ଅଫିସରେ ୧୪ ଟ୍ରକ୍‌ ଓ ଦୁଇଟି ବାଇକର କାଗଜପତ୍ର ମାଗିଥିଲେ। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଭୂ-ନିବନ୍ଧନରେ ଭିଜିଲାନ୍ସ ଅଧିକାରୀମାନେ ବାଇପାସ୍‌ ରୋଡ୍‌ରେ ଟିଟୋଙ୍କ ପେଟ୍ରୋଲ ପମ୍ପ୍‌ ଥିବା ପ୍ଲଟ୍‌ ନଂ.୩୮୧ ଓ ୩୩୨ ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟପକ୍ଷରେ ଟିଟୋଙ୍କ ସ୍ତ୍ରୀ ବେନାଜିରଙ୍କ ନାମରେ କେନ୍ଦ୍ରାପଡ଼ା ପୌର ପରିଷଦ ଅଧୀନରେ ଜମି ଲିଜ୍‌ରେ ଦିଆଯାଇଛି। ଉକ୍ତ ଜମିରେ ସେ ଉକ୍ତ ପେଟ୍ରୋଲ ପମ୍ପକୁ ଯିବା ପାଇଁ ଆପ୍ରୋଚ ରୋଡ୍‌ ତିଆରି କରିଛନ୍ତି। କେନ୍ଦ୍ରାପଡ଼ା ପୌର ପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଅଧିକାରୀମାନେ ପେଟ୍ରୋଲ ପମ୍ପ୍‌ର ସ୍ଥାନ, ଲିଜ୍‌ ଡିଡ୍‌, ରିଜୋଲ୍ୟୁଶନ ଖାତା ଆଦିର ଯାଞ୍ଚ କରିଥିଲେ।

କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ଓ ଗରଦପୁର ତହସିଲ ଅଫିସ୍‌ରୁ ବାଲିଘାଟ ନିଲାମ ସମ୍ପର୍କିତ ରେକର୍ଡପତ୍ର ଭିଜିଲାନ୍ସ ଜବତ କରିଛି । ଡେରାବିଶ ତହସିଲ୍‌ କାର୍ଯ୍ୟାଳୟରେ ବସୁପୁର, ଗହଗା ବାଲି ସଇରାତ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ କରିଥିଲା। ଗରଦପୁର ତହସିଲ୍‌ କାର୍ଯ୍ୟାଳୟରେ ଭିଜିଲାନ୍ସ ଅଧିକାରୀମାନେ ହରିଦାସପୁର, ପଣ୍ଡିଆ, ତଳକୁସୁମା, ଅରଖକୁଦ, ସଠିଲୋ, ରାମଚନ୍ଦ୍ରପୁର, କୋରୁଆ, ପୁଣ୍ଡିଲୋ ବାଲି ସଇରାତ ସମ୍ପର୍କରେ ପଚରାଉଚରା କରିଥିଲେ। ସେଠାରୁ ବିଭିନ୍ନ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଜୁନ୍‌ ୩୦ରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଗ୍ୟାଙ୍ଗ୍‌ଷ୍ଟର ଟିଟୋଙ୍କୁ ଗିରଫ କରିଥିଲା। ଏଥିସହ ତାଙ୍କର ୧୩ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏବେ ଏସ୍‌ଟିଏଫ୍‌ର କାର୍ଯ୍ୟଧାରାକୁ ନେଇ ଅଭିଯୋଗ ଉଠିଥିବାବେଳେ ଭିଜିଲାନ୍ସ ତଦନ୍ତ ଭାର ନେଇଛି।

Leave A Reply

Your email address will not be published.