ଆଜି ୭୪ତମ ସାଧାରଣତନ୍ତ୍ର ଦିବସ : ସାରା ଦେଶରେ ଉତ୍ସାହ

0

ଭୁବନେଶ୍ୱର,୨୬/୧ : ଆଜି ୭୪ତମ ସାଧାରଣତନ୍ତ୍ର ଦିବସ। ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ଭାରତର ନୂତନ ସମ୍ବିଧାନ ପ୍ରଣୟନ ହୋଇଥିଲା। ନିର୍ଦ୍ଦିଷ୍ଟ ଭାବରେ ଏହି ତାରିଖରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବା ପଛର କାରଣ ହେଉଛି ତାହାର ଠିକ୍‌ ୨୦ ବର୍ଷ ତଳେ ୧୯୩୦ ଜାନୁଆରି ୨୬ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସ ଦ୍ବାରା ଭାରତୀୟ ସ୍ବାଧୀନତା ବା ପୂର୍ଣ୍ଣ ସ୍ବରାଜ ଘୋଷଣା କରାଯାଇଥିଲା। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ମଧ୍ୟରାତ୍ରରେ ବ୍ରିଟିସ୍‌ ସରକାର ଭାରତ ଛାଡ଼ି ଚାଲିଯିବା ପରେ ଭାରତୀୟମାନେ ନିଜକୁ ନିଜେ ଶାସନ କରିବାର ପର୍ବ ଆରମ୍ଭ ହେଲା। ମାତ୍ର ଦେଶର ସୁପରିଚାଳନା ପାଇଁ ସେତେବେଳେ ଦେଶର କୌଣସି ନିଜସ୍ବ ସମ୍ବିଧାନ ଉପଲବ୍‌ଧ ନଥିଲା।

ଏଥିପାଇଁ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫ୍‌ଟିଂ କମିଟି ଗଠିତ ହୋଇଥିଲା। ବିଶ୍ବର ବିଭିନ୍ନ ରାଷ୍ଟ୍ରର ସମ୍ବିଧାନର ସାରମର୍ମକୁ ଅନୁସରଣ କରି ଏବଂ ଦେଶର ବିଭିନ୍ନ ବର୍ଗର ଜନନାୟକଙ୍କ ସହ ଆଲୋଚନା କରି ଉକ୍ତ କମିଟି ୧୯୪୯ ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରିଥିଲେ। ଏହାର ଠିକ୍‌ ଦୁଇ ମାସ ପରେ ୧୯୫୦ ଜାନୁଆରି ୨୬ ତାରିଖରେ ଦେଶ ଏକ ସାର୍ବଭୌମ ସାଧାରଣତନ୍ତ୍ରରେ ପରିଣତ ହେବା ସହ ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ଇଣ୍ଡିଆ ଆକ୍ଟ-୧୯୩୫ ବଦଳରେ ସଦ୍ୟ ପ୍ରସ୍ତାବିତ ସମ୍ବିଧାନ ଦ୍ବାରା ଦେଶର ଶାସନ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ନୂଆଦିଲ୍ଲୀର ରାଜପଥରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଦେଶର ଐକ୍ୟର ପ୍ରତୀକ ବିଭିନ୍ନ ସାଂସ୍କୃତିକ ସମାରୋହକୁ ଉଦ୍‌ଘାଟନ କରିବାର ପରମ୍ପରା ରହିଆସିଛି।

ନୂଆଦିଲ୍ଲୀର ‘କର୍ତ୍ତବ୍ୟ ପଥ’ରେ ସାଧାରଣତନ୍ତ୍ର ଦିବସ ପାଳିତ ହେବ। ଏହି ଅବସରରେ ଦେଶର ପ୍ରଗତିର ସଂକେତ ସ୍ବରୂପ ଦେଶ ନିଜ ସାର୍ବଭୌମ୍ୟର ସୁରକ୍ଷା ପାଇଁ ହାସଲ କରିଥିବା ନୂତନ ଜ୍ଞାନକୌଶଳ ସଂପନ୍ନ ବିଭିନ୍ନ ଯୁଦ୍ଧାସ୍ତ୍ର ଓ ବିମାନକୁ ମଧ୍ୟ ପ୍ରଦର୍ଶନ କରାଯାଇଥାଏ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହାନ୍‌ ବ୍ୟକ୍ତିତ୍ବଙ୍କୁ ପଦ୍ମ ସମ୍ମାନ ଏବଂ ଦେଶର ସାହସୀ ସେନାନୀଙ୍କୁ ପରମବୀର ଚକ୍ର, ଅଶୋକ ଚକ୍ର ଓ ବୀର ଚକ୍ର ପୁରସ୍କାର ଦେଇ ରାଷ୍ଟ୍ରପତି ସମ୍ମାନିତ କରିଥା’ନ୍ତି।

SBI AD
Leave A Reply

Your email address will not be published.