ଭୁବନେଶ୍ବର,୩/୯: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରି ଫେରାର ହୋଇଥିବା ଜଣେ ଯୁବକକୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ସେ ହେଲା ମୟୂରଭଂଜ ଜିଲ୍ଲା ରାଇରଂଗପୁର ଅଞ୍ଚଳର (୩୦ବର୍ଷ) ଆଲ୍ବିସ୍ ସୋରେନ୍ ।
ସୂଚନା ଅନୁସାରେ , କିଛି ବର୍ଷ ହେବ ଆଲ୍ବିସ୍ ଏଠାରେ ମଞ୍ଚେଶ୍ବର ଥାନା ଅଧୀନ ଏକ ବସ୍ତିରେ ରହି ଘରୋଇ ସଂସ୍ଥାରେ କାମ କରୁଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ସହ ତାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଲୁଚିଲୁଚି ମିଳାମିଶା କରୁଥିଲେ। ନାବାଳିକାଙ୍କ ଘରଲୋକ ନ ଥିବା ସମୟରେ ଆଲ୍ବିସ୍ ତାଙ୍କ ଘରକୁ ଯାଉଥିଲା। ତେବେ ନାବାଳିକା ଗର୍ଭବତୀ ହେବା ଜାଣିବା ପରେ ସେ ଫେରାର୍ ହୋଇଯାଇଥିଲା। ପରେ ନାବାଳିକା ଘଟଣା ସମ୍ପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ। ଏ ନେଇ ଗତ ୩୦ ତାରିଖରେ ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ବୁଧବାର ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍ ରାଇରଂଗପୁରସ୍ଥିତ ଘରେ ଚଢ଼ଉ କରି ଆଲବିସ୍କୁ ଗିରଫ କରିଥିଲା। ଆଜି ଥାନାକୁ ଆଣି ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।