ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଦ୍ୱିତୀୟ ପୋଷ୍ଟମର୍ଟମ୍ ହେବ ଆଜି

ନୂଆଦିଲ୍ଲୀ, ୨୪/୦୫ : ନୋଏଡା ମଡେଲ-ଅଭିନେତ୍ରୀ ତ୍ବି‌ଷା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଜି ଏକ ବଡ଼ ଖୁଲାସା ହେବା ନେଇ ଆଶା କରାଯାଉଛି। ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ବିଶେଷଜ୍ଞ ଡାକ୍ତରଙ୍କ ଏକ ଦଳ ଆଜି ଭୋପାଳରେ ପହଞ୍ଚିଛି, ଯେଉଁଠାରେ ତ୍ବିଷାଙ୍କ ଦ୍ୱିତୀୟ ପୋଷ୍ଟମର୍ଟମ୍ କରାଯିବ। ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏମସ୍ ଦିଲ୍ଲୀ ଏକ ଚାରି ସଦସ୍ୟ ବିଶିଷ୍ଟ ମେଡିକାଲ୍ ବୋର୍ଡ ଗଠନ କରିଛି, ଯାହା ଏମସ୍ ଭୋପାଳରେ ଭିଡିଓଗ୍ରାଫି ସହିତ ଏକ ବିସ୍ତୃତ ଦ୍ୱିତୀୟ ପୋଷ୍ଟମର୍ଟମ୍ କରିବ। ଯୌତୁକ ନିର୍ଯାତନା ଯୋଗୁଁ ସନ୍ଦେହଜନକ ପରିସ୍ଥିତିରେ ତ୍ବିଷା ଶର୍ମାଙ୍କ ମୃତ୍ୟୁ ମାମଲାର ସୁପ୍ରିମକୋର୍ଟ ଶନିବାର ସ୍ୱତଃସ୍ପୃତ ବିଚାର କରିଛନ୍ତି। ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ୍ ହୋଇଥିବା ସୂଚନା ଅନୁଯାୟୀ ଗଣମାଧ୍ୟମ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ପରିସ୍ଥିତିକୁ ବିଚାର କରିବା ପରେ କୋର୍ଟ ସ୍ୱତଃସ୍ପୃତ ବିଚାର କରିଛନ୍ତି।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚି ଏବଂ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ( ମେ ୨୫ ତାରିଖ) ମାମଲାର ଶୁଣାଣି କରିବେ। ଅଭିନେତ୍ରୀ-ମଡେଲ ତ୍ବିଷାଙ୍କ ମୃତଦେହ ଗତ ୧୨ ତାରିଖରେ ଭୋପାଳର କଟାରା ହିଲ୍ସ ଅଞ୍ଚଳରେ ତାଙ୍କ ଶ୍ୱଶୁର ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କର କିଛି ମାସ ପୂର୍ବରୁ ବିବାହ ହୋଇଥିଲା। ପରେ ଯୌତୁକ ନିର୍ଯାତନା ଅଭିଯୋଗରେ ତାଙ୍କ ସ୍ୱାମୀ, ଓକିଲ ସମର୍ଥ ସିଂହ ଏବଂ ତାଙ୍କ ଶାଶୁ ଗିରିବାଲା ସିଂହଙ୍କ ବିରୁଦ୍ଧରେ ଏକ ଏଫଆଇଆର ଦାୟର କରାଯାଇଥିଲା। ଶନିବାର ଏକ ସ୍ଥାନୀୟ କୋର୍ଟ ସମର୍ଥ ସିଂହଙ୍କୁ ସାତ ଦିନର ପୋଲିସ ହେପାଜତକୁ ପଠାଇ ଦେଇଥିଲେ। ଗିରିବାଲା ସିଂହ କହିଥିଲେ ଯେ ପୋଲିସ ଏହି ହାଇ-ପ୍ରୋଫାଇଲ୍ ମାମଲାରେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ତାଙ୍କ ସହିତ ଏପର୍ଯ୍ୟନ୍ତ ଯୋଗାଯୋଗ କରିନାହିଁ।