ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା, ଡିକେ ଶିବକୁମାର ନେବେ ଦାୟିତ୍ବ

ନୂଆଦିଲ୍ଲୀ, ୨୭/୦୫ : କର୍ଣ୍ଣାଟକରେ ବଡ଼ ରାଜନୈତିକ ହଲଚଲ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା । ଡି.କେ ଶିବକୁମାରଙ୍କ ହାତକୁ ଯିବ କମାଣ୍ଡ ! କର୍ଣ୍ଣାଟକ ରାଜନୀତିରେ ଏକ ବଡ଼ ଧରଣର ନେତୃତ୍ୱ ପରିବର୍ତ୍ତନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାେଙ୍କୁ ନିଜ ପଦରୁ ଶୀଘ୍ର ଇସ୍ତଫା ଦେବାକୁ କହିଛନ୍ତି । ଏଥିସହିତ ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ରହିଥିବା ଜଣାପଡ଼ିଛି ।

କର୍ଣ୍ଣାଟକରେ ନୂଆ ମୁଖ୍ୟମନ୍ତ୍ରୀ ଏବଂ ୪ ଉପ-ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି । ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ସହ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ବର୍ତ୍ତମାନର ପ୍ରସ୍ତାବ ଅନୁଯାୟୀ ଦଳିତ, ସଂଖ୍ୟାଲଘୁ, ଲିଙ୍ଗାୟତ ଏବଂ ଓବିସି ସମୁଦାୟରୁ ଜଣେ ଲେଖାଏଁ ଉପ-ମୁଖ୍ୟମନ୍ତ୍ରୀ ରହିବା ରିପୋର୍ଟ ମିଳିଛି । ଆଲୋଚନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି, ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। କର୍ଣ୍ଣାଟକରେ କଂଗ୍ରେସ ସରକାର ନିଜର ୩ ବର୍ଷ କାର୍ଯ୍ୟକାଳ ମେ ୨୦୨୩ରୁ ମେ ୨୦୨୬ ପର୍ଯ୍ୟନ୍ତ ପୂରଣ କରିସାରିଛି । ସରକାର ଗଠନ ସମୟରେ ଉଭୟ ନେତାଙ୍କ ମଧ୍ୟରେ ୫୦-୫୦ ବା କ୍ଷମତା ଭାଗବଣ୍ଟାକୁ ନେଇ ଏକ ଆଭ୍ୟନ୍ତରୀଣ ବୁଝାମଣା ହୋଇଥିବା କୁହାଯାଉଥିଲା । ଏବେ ୩ ବର୍ଷ ପୂରିବା ପରେ ଶିବକୁମାରଙ୍କ ସମର୍ଥକମାନେ କ୍ଷମତା ପରିବର୍ତ୍ତନ ପାଇଁ ଚାପ ପ୍ରୟୋଗ କରୁଛନ୍ତି ।